ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ଥାନା ଘେରାଉ

ବ୍ୟବସାୟୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣା

ଚନ୍ଦ୍ରଶେଖରପୁର: ମୈତ୍ରୀବିହାରର ବ୍ୟବସାୟୀ ଶ୍ରୀଧର ସାହୁଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାକୁ ସପ୍ତାହରୁ ଊର୍ଧ୍ବ ସମୟ ବିତି ଯାଇଥିଲେ ହେଁ ପୁଲିସ ଏ ପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ପାରିନାହିଁ। ଏହାର ପ୍ରତିବାଦରେ ଆଜି ରାତିରେ ଶ୍ରୀଧରଙ୍କ ପରିବାର ସମେତ ବହୁ ସଂଖ୍ୟାରେ ବସ୍ତି ବାସିନ୍ଦା ଚନ୍ଦ୍ରଶେଖରପୁର ଥାନା ଘେରାଉ କରିଥିଲେ। ଏହାକୁ କେନ୍ଦ୍ର କରି ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ଥାନା ଅଧିକାରୀ ବସ୍ତିବାସିନ୍ଦାଙ୍କ ଅଭିଯୋଗ ଗ୍ରହଣ କରିବା ସହ ମୁଖ୍ୟ ଅଭିଯୁକ୍ତକୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ବସ୍ତି ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ଗତ ୨୩ ତାରିଖ ରାତିରେ ଶ୍ରୀଧରକୁ କିଛି ଯୁବକ ଏକ ଭୁଜାଲିରେ ଆକ୍ରମଣ କରି ରକ୍ତାକ୍ତ କରି ଦେଇଥିଲେ। ସେହି ଦିନଠାରୁ ସେ ଏକ ଘରୋଇ ହସ୍ପିଟାଲ୍‌ର ଆଇସିୟୁରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହି ଘଟଣାରେ ପୁଲିସ ବିଶ୍ବନାଥ ପ୍ରଧାନ(୪୦) ନାମକ ଜଣେ ଯୁବକଙ୍କୁ ଗିରଫ କରିଥିଲେ ହେଁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିପାରିନାହିଁ। ଅପରପକ୍ଷେ ଜଣେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ପ୍ରରୋଚନାରେ ଶ୍ରୀଧରଙ୍କୁ ଆକ୍ରମଣ କରାଯାଇଥିବା ବସ୍ତିବାସିନ୍ଦା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର