ହେଲ୍‌ମେଟ ପିନ୍ଧି ନ ଥିବାରୁ ଚଳନ୍ତା ବାଇକକୁ ଗୋଇଠା ମାରିଲେ ପୁଲିସ କର୍ମଚାରୀ, ରାସ୍ତାରେ ପଡ଼ି ଗର୍ଭବତୀ ମହିଳାଙ୍କ ମୃତ୍ୟୁ

ଚେନ୍ନାଇ : ବୁଧବାର ରାତିରେ ଘଟିଛି ଏକ ଦୁଃଖଦାୟକ ଘଟଣା । ବିନା ହେଲ୍‌ମେଟରେ ଗାଡ଼ି ଚଳାଉଥିବାରୁ ପୁଲିସ କର୍ମଚାରୀ ଜଣେ ଦମ୍ପତିଙ୍କ ଚଳନ୍ତା ଗାଡ଼ିକୁ ଗୋଇଠା ମାରିଥିଲେ । ଯାହା ଫଳରେ ଗାଡ଼ିରୁ ଉଭୟ ସ୍ୱାମୀ-ସ୍ତ୍ରୀ ତଳେ ପଡ଼ି ଯାଇଥିଲେ । ଏହି ସମୟରେ ପଛପଟୁ ଆସୁଥିବା ଗାଡ଼ି ମହିଳାଙ୍କ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ପୁଲିସ କର୍ମଚାରୀ ସେଠାରୁ ଫେରାର ହୋଇ ଯାଇଥିବା ବେଳେ ସ୍ଥାନୀୟ ଲୋକମାନଙ୍କର ଆନ୍ଦୋଳନ ପରେ ତାଙ୍କୁ ଗିରଫ କରାଯାଇଥିବା ଜଣା ପଡ଼ିଛି । ଏହି ଘଟଣାଟି ଥିରୁଭେରୁମ୍‌ବୁରର ତିର୍ଚ୍ଚୀରେ ଘଟିଥିବା ସୂଚନା ମିଳିଛି ।
ସୂଚନା ମୁତାବକ, ବୁଧବାର ରାତିରେ ହେଲ୍‌ମେଟ୍‌ ଚେକିଙ୍ଗ୍‌ ଚାଲିଥିବା ବେଳେ ଧର୍ମରାଜ ଏବଂ ତାଙ୍କ ସ୍ତ୍ରୀ ଉଷା ସେଇ ବାଟ ଦେଇ ଯାଉଥିଲେ । ଧର୍ମରାଜ ହେଲ୍‌ମେଟ୍‌ ପିନ୍ଧି ନଥିବାରୁ ପୁଲିସ କର୍ମଚାରୀ କମରାଜ ତାଙ୍କୁ ଅଟକାଇଥିଲେ । କିନ୍ତୁ ଧର୍ମରାଜ ଜରିମାନା ଦେବା ଡ଼ରରେ ନ ଅଟକି ଚାଲି ଯାଇଥିଲେ । ଏଥିରେ କମରାଜ୍‌ ରାଗି ଯାଇ ତାଙ୍କ ପିଛା କରିବା ସହ ତାଙ୍କୁ ରହିବାକୁ କହିଥିଲେ । ଏତେ ସବୁ ପରେ ଧର୍ମରାଜ ନ ଅଟକିବାରୁ କମରାଜ ରାଗରେ ତାଙ୍କ ଗାଡ଼ିକୁ ଗୋଇଠା ମାରି ଦେଇଥିଲେ । ଯାହା ଫଳରେ ଧର୍ମରାଜ ଏବଂ ଉଷା ନିୟନ୍ତ୍ରଣ ହରାଇ ରାସ୍ତା ମଝିରେ ପଡ଼ି ଯାଇଥିଲେ । ଏହି ସମୟରେ ପଛପଟୁ ଆସୁଥିବା ଏକ ଗାଡ଼ି ଉଷାଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

NewIndianExpress

ଧର୍ମରାଜ ସାମାନ୍ୟ ଆହାତ ହୋଇଥିବା ବେଳେ ଉଷା ତିନି ମାସର ଗର୍ଭବତୀ ଥିବା ଜଣାପଡ଼ିଛି । ଏହି ଘଟଣା ଘଟିବା ପରେ ପୁଲିସ ତୁରନ୍ତ ଏ ନେଇ କିଛି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବାରୁ ସ୍ଥାନୀୟ ଲୋକମାନେ ବିଭିନ୍ନ ସରକାରୀ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ । ଏହା ପରେ ତିର୍ଚ୍ଚୀ ଜିଲ୍ଲାର କଲେକ୍ଟର ରାଜାମଣି ଏ ନେଇ ଦୋଷୀକୁ ଉଚିତ୍‌ ଦଣ୍ଡ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ଥମି ଥିବା ଜଣା ପଡ଼ିଛି ।

 

ସମ୍ବନ୍ଧିତ ଖବର