ଉତ୍ତରପ୍ରଦେଶରେ ଛୁରୀ ଦେଖାଇ ଗର୍ଭବତୀ ମହିଳାଙ୍କ ସହ ଦୁଷ୍କର୍ମ କଲେ ୨ଅଭିଯୁକ୍ତ

ପିଲିଭିତ୍: ଉତ୍ତରପ୍ରଦେଶରେ ଛୁରୀ ଦେଖାଇ ଗର୍ଭବତୀ ମହିଳାଙ୍କ ସହ ଦୁଷ୍କର୍ମ କଲେ ୨ଅଭିଯୁକ୍ତ। ଉତ୍ତରପ୍ରଦେଶର ପିଲିଭିତ୍ ଜିଲ୍ଲାର ସୁନଗଢ଼ୀ ପୁଲିସ ଷ୍ଟେସନ ଅଧିନରେ ଥିବା ଏକ ଗାଁରେ ଜଣେ ଗର୍ଭବତୀ ମହିଳାଙ୍କ ସହ ଦୁଷ୍କର୍ମ କରାଯାଇଛି। ପୀଡ଼ିତା ନିଜ ସ୍ୱାମୀଙ୍କୁ ଖାଦ୍ୟ ଦେଇ ଘରକୁ ଫେରୁଥିବା ବେଳେ ଦୁଇଜଣ ବ୍ୟକ୍ତି ଛୁରୀ ଦେଖାଇ ତାଙ୍କ ସହ ଦୁଷ୍କର୍ମ କରିଥି‌ଲେ ବୋଲି ଅଭିଯୋଗ ହୋଇଛି। କୋର୍ଟଙ୍କ ନିର୍ଦ୍ଦେଶରେ ପୁଲିସ ଏହି ଘଟଣାକୁ ନେଇ ଏଫ୍ଆଇଆର୍ ପଞ୍ଜିକରଣ କରିଛି।

ସୁନଗଢ଼ୀ ପୁଲିସ ଷ୍ଟେସନର ଇନସପେକ୍ଟର ମଦନ ମୋହନ ଚତୁର୍ବେଦୀ କହିଛନ୍ତି ଯେ, ଘଟଣାର ତଦନ୍ତ କରାଯାଉଛି ଏବଂ ଯାହା ତଥ୍ୟ ସାମ୍ନାକୁ ଆସିବ ସେ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଗର୍ଭବତୀ ମହିଳାଜଣକ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଗାଁର ବାବୁରାମ ଏବଂ କଲ୍ୟାଣ ସିଂ ତାଙ୍କ ଉପରେ ଖରାପ ନଜର ରଖିଥିଲେ ଏବଂ ଜୁଲାଇ ୧୬, ୨୦୨୨ରେ ଯେତେବେଳେ ସେ ଦିନ ୧୧ଟାରେ ସ୍ୱାମୀଙ୍କୁ ଖାଦ୍ୟ ଦେଇ ଘରକୁ ଫେରୁଥିଲେ, ଉଭୟ ଅଭିଯୁକ୍ତ ତାଙ୍କୁ ଧାନ ବିଲକୁ ଟାଣି ନେଇ ଦୁଷ୍କର୍ମ କରିଥିଲେ। ଏହି କାରଣରୁ ମହିଳାଙ୍କର ଗର୍ଭପାତ ହୋଇଥିଲା। ଏହି ଘଟଣାକୁ ନେଇ ସୁନଗଢ଼ୀ ପୁଲିସ ଷ୍ଟେସନରେ ମହିଳାଜଣକ ଅଭିଯୋଗ କରିଥିଲେ ବି ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ପରେ ବାଧ୍ୟ ହୋଇ ସେ ଅଦାଲତର ଦ୍ବାରସ୍ତ ହୋଇଥିଲେ। ଏବେ କୋର୍ଟଙ୍କ ନିର୍ଦ୍ଦେଶରେ ପୁଲିସ ଏହି ଘଟଣାକୁ ନେଇ ଏଫ୍ଆଇଆର୍ ପଞ୍ଜିକରଣ କରିଛି।

ସମ୍ବନ୍ଧିତ ଖବର