ଯୌନ ଉତ୍ପୀଡ଼ନ ଏଡ଼ାଇବାକୁ ଚଳନ୍ତା ଭ୍ୟାନ୍‌ରୁ ଡେଇଁଲେ ଅନ୍ତଃସତ୍ତ୍ୱା ମହିଳା

ହାଇଦ୍ରାବାଦ: ଯୌନଉତ୍ପୀଡ଼ନ ଏଡ଼ାଇବାକୁ ମେଡ଼ାକ୍‌ ଜିଲ୍ଲାର ଜଣେ ୩୫ ବର୍ଷୀୟ ଅନ୍ତଃସତ୍ତ୍ୱା ମହିଳା ଗୋଟିଏ ଚଳନ୍ତା ଭ୍ୟାନ୍‌ରୁ ଡେଇଁ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ଭ୍ୟାନ୍‌ର ଡ୍ରାଇଭର୍‌ ଏବଂ କ୍ଲିନର୍‌ ତାଙ୍କୁ ଯୌନଉତ୍ପୀଡ଼ ଦେବାକୁ ଉଦ୍ୟମ କରିଥିବା କଥା ସୋମବାର ଦିନ ପୁଲିସ କହିଛି।

ହାଇଦ୍ରାବାଦ-ନାଗପୁର ୪୪ ନମ୍ବର ଜାତୀୟ ରାଜପଥ ପାଖ ତୁଉପରନ ବ୍ଲକ୍‌ ଅନ୍ତର୍ଗତ ରାବେଲ୍ଲି ଗାଁରେ ଶନିବାର ବିଳମ୍ବତି ରାତ୍ରୀରେ ଘଟଣାଟି ଘଟିଛି। ମହିଳାଙ୍କ ଆତ୍ମୀୟମାନେ ରବିବାର ଅପରାହ୍ଣରେ ଏ ବିଷୟରେ ଥାନାରେ ଅଭିଯୋଗ ଦାଏର କରିଥିଲେ।

ସାତ ମାସର ଅନ୍ତଃସତ୍ତ୍ୱା ମହିଳା କଳାବତୀ ପୁରୁଣା ଲୁଗାପଟା ବିକେ। ଶନିବାର ରାତିରେ ସେ ନିଜର ସାତ ବର୍ଷୀୟ ଝିଅ ସିରିଶା ସହ ହାଇଦ୍ରାବାଦ ଉପକଣ୍ଠସ୍ଥିତ କୋମ୍ପାଲିରୁ ନିଜ ଗାଁକୁ ଫେରୁଥିଲା। ରାଷ୍ଟ୍ରାୟତ ଆର୍‌ଟିସି ବସ୍‌ ଫେଲ୍‌ ହେବାରୁ ସେ ଓ ତାଙ୍କ ଝିଅ ଏକ ଭ୍ୟାନରେ ବସି ଆସୁଥିଲେ।

ତୁପରନ ଟୋଲ୍‌ ଗେଟ୍‌ରେ ଫି’ ଦାଖଲ କରିବାକୁ ଡ୍ରାଇଭର୍‌ କଳାବତୀଙ୍କୁ କହିଲା। ତା’ପରେ ଗୋଟିଏ କିଲୋମିଟର ଅତିକ୍ରମ କରିବା ପରେ ଭ୍ୟାନ୍‌ର ଡ୍ରାଇଭର୍‌ ଏବଂ କ୍ଲିନର୍‌ ତାଙ୍କ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିବାରୁ ସେ ଚଳନ୍ତା ଗାଡ଼ିରୁ ବାହାରକୁ କୁଦା ମାରିଥିଲେ। ଡ୍ରାଇଭର୍‌ ଏବଂ କ୍ଲିନର୍‌ ତାଙ୍କ ଝିଅକୁ ଜବରଦସ୍ତି ଓହ୍ଲାଇ ଦେଇ ଘଟନାସ୍ଥଳରୁ ଖସି ଯାଇଥିଲେ।

ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଦେଖିଲା ବେଳକୁ କଳାବତୀ ମରି ଯାଇଥିଲେ। ସେମାନେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ନିକଟବର୍ତ୍ତୀ ଗାଁ ପୋଥରାଜପଲ୍ଲୀରେ ଥିବା ତାଙ୍କର ସ୍ୱାମୀ ରେଗୋଣ୍ଡାଙ୍କୁ ଏବଂ ଅନ୍ୟମାନଙ୍କୁ ପୁଲିସ ଖବର ଦେଇଥିଲା।

ଗାଡ଼ିରେ କ’ଣ ଘଟିଲା ଝିଅଟି ଠିକ୍‌ ଭାବେ କହିବା ଅବସ୍ଥାରେ ନାହିଁ। ସିସିଟିଭି ଫୁଟେଜ୍‌ରୁ ଯାହା ଜଣାପଡୁଛି, କଳାବତୀ ପ୍ରଥମେ ତାଙ୍କର ଲୁଗା ବ୍ୟାଗ୍‌ ବାହାରକୁ ଫିଙ୍ଗି ଦେଇ ଗାଡ଼ିରୁ ଡେଇଁ ପଡ଼ିଥିଲେ। ଡ୍ରାଇଭର ବ୍ରେକ୍‌ କଷିବା ପରି ମନେହେଉଛି। ତା’ପରେ ଗାଡ଼ି ଚଳାଇ ପଳାଇ ଯାଉଛି।
ଡ୍ରାଇଭର୍‌ ଏବଂ କ୍ଲିନର୍‌ଙ୍କୁ ନ ଧରିଲା ଯାଏଁ ଗାଡ଼ି ଭିତରେ କ’ଣ ଘଟିଥିଲା କହି ହେବ ନାହିଁ। ଡେଇଁବା ପୂର୍ବରୁ କଳାବତୀ ଡ୍ରାଇଭର୍‌ ଏବଂ କ୍ଲିନର୍‌ଙ୍କ ସହ ମାଡ଼ଗୋଳ କରିଥିବା କଥା ସିରିଶା ବାପାଙ୍କୁ କହିଛି।

କଳାବତୀଙ୍କ ଆତ୍ମୀୟମାନଙ୍କ ଅଭିଯୋଗ ଆଧାରରେ ପୁଲିସ ସନ୍ଦିଗ୍ଧ ମୃତ୍ୟୁ ମାମଲା ରୁଜୁ କରିଛି। ତାଙ୍କୁ ଯୌନ ଉତ୍ପୀଡ଼ନ ଦିଆଯାଇଥିବା କଥା ତଦନ୍ତରୁ ସ୍ପଷ୍ଟ ହେଲେ ଅଭିଯୁକ୍ତଙ୍କ ନାମରେ ଆଇପିସିର ଅନ୍ୟାନ୍ୟ ଧାରା ଲାଗୁ କରାଯିବ।

ସମ୍ବନ୍ଧିତ ଖବର