ସ୍ବାମୀ ଓ ପିଲାଙ୍କ ସହ ଟ୍ରେନକୁ ଅପେକ୍ଷା କରିଥିଲେ ମହିଳା, ଘୋଷାଡ଼ି ନେଇ ଦୁଷ୍କର୍ମ କଲେ ୩ ପିଶାଚ

ହାଇଦ୍ରାବାଦ: ସ୍ବାମୀ ଓ ପିଲାଙ୍କ ଆଗରେ ଦୁଷ୍କର୍ମର ଶିକାର ହେଲେ ମହିଳା। ଟ୍ରେନକୁ ଅପେକ୍ଷା କରିଥିବା ବେଳେ ଟାଣିନେଲେ ୩ ପିଶାଚ। ସାହାଯ୍ୟ ପାଇଁ ଚିତ୍କାର କରି କରି ପାଟି ଥକିଗଲା ହେଲେ ମିଳିଲାନି ସାହାଯ୍ୟ। ରେଳ ଷ୍ଟେସନରେ ଦୁଷ୍କର୍ମର ଶିକାର ହେଲେ ଗର୍ଭବତୀ ମହିଳା। ଆନ୍ଧ୍ରପ୍ରଦେଶର ବାପଟଲାରେ ଘଟିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ଏଭଳି ଅଭାବନୀୟ ଘଟଣା ପରେ ଏବେ ଡାକ୍ତରଖାନାରେ ମହିଳାଙ୍କ ଚିକିତ୍ସା ଚାଲିଥିବା ବେ‌ଳେ ୩ଜଣ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ।

ମିଳିଥିବା ସୂଚନା ମୁତାବକ, ଶନିବାର ମଧ୍ୟରାତିରେ ପୀଡ଼ିତା ଓ ତାଙ୍କ ପରିବାର ଗୁଣ୍ଟୁରରୁ କ୍ରିଷ୍ଣା ଜିଲ୍ଲାକୁ ଯିବା ପାଇଁ ରେଳ ଷ୍ଟେସନରେ ପହଞ୍ଚିଥିଲେ। ଟ୍ରେନ ଆସିବା ପାଇଁ ସମୟ ଥିବାରୁ ଷ୍ଟେସନରେ ଥିବା ବେଞ୍ଚ ଉପରେ ଶୋଇପଡ଼ିଥିଲେ ପୀଡ଼ିତା ଓ ତାଙ୍କ ପରିବାର। କିଛି ଘଣ୍ଟା ପରେ ୩ଜଣ ଅଭିଯୁକ୍ତ ଆସି ତାଙ୍କୁ ଉଠାଇବା ସହ ପୀଡ଼ିତାଙ୍କ ସ୍ବାମୀ ମାଡ଼ ମାରିବା ଆରମ୍ଭ କରିଥିଲେ। ନିଶାଶକ୍ତ ଅବସ୍ଥାରେ ପୀଡ଼ିତାଙ୍କ ସ୍ବାମୀଙ୍କୁ ମାଡ଼ ମାରିବା ସହ ପୀଡ଼ିତାଙ୍କୁ ଘୋଷାଡ଼ି ଅନ୍ଧାରକୁ ଟାଣିନେଇଥିଲେ  ୩ ଅଭିଯୁକ୍ତ। ଏହା ଦେଖି ପୀଡ଼ିତାଙ୍କ ସ୍ବାମୀ ଦୌଡ଼ି ଯାଇ ରେଲୱେ ପୁଲିସକୁ ଖୋଜିଥିଲେ ବି ଷ୍ଟେସନରେ କେହି ମିଳିନଥିଲେ।

ପରେ ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତା ଅଚେତ ଅବସ୍ଥାରେ ଏକ ବୁଦା ଭିତରେ ପଡ଼ିଥିବାର ଦେଖାଯାଇଥିଲା। ଏହା ଦେଖି ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିବା ବେଳେ ଏବେ ତାଙ୍କର ଚିକିତ୍ସା ଜାରି ରହିଛି। ସେ ଧୀରେ ଧୀରେ ସୁସ୍ଥ ହେଉଥିବା କୁହାଯାଉଛି।

ସମ୍ବନ୍ଧିତ ଖବର