ଅମରେଶ ନାୟକ ହତ୍ୟାକାଣ୍ଡ: ଫେରାର ଦୁଇ ମୁଖ୍ୟଅଭିଯୁକ୍ତ ଚିହ୍ନଟ, ଧରିବା ଲାଗି ପୁଲିସର ତନାଘନା

ଭୁବନେଶ୍ୱର : ବହୁଚର୍ଚ୍ଚିତ ଭୁବନେଶ୍ୱର ଏୟାର ଫିଲ୍ଡ ଥାନା ଅମରେଶ ନାୟକ ହତ୍ୟାକାଣ୍ଡରେ ପୁଲିସକୁ ମିଳିଛି ବଡ ସୁରାକ । ହତ୍ୟାକାଣ୍ଡର ୩ ଦିନ ପରେ ପୁଲିସ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି । ଘଟଣାରେ ୨୦ରୁ ଅଧିକ ଅଭିଯୁକ୍ତ ଥିବା ବେଳେ ଦୁଇ ମୋଷ୍ଟ ୱାଣ୍ଟେଡକୁ ଚିହ୍ନଟ ହୋଇଛନ୍ତି। ସେମାନେ ହେଲେ ଶଙ୍କର ବସ୍ତିଆ ଓରଫ ଡିଜେ ରକ୍ ଏବଂ ରାଘବ ବାରିକ ଓରଫ ରଘୁଆ । ଏହି ୨ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପରେ ସେମାନଙ୍କୁ  ଧରିବା ଲାଗି ତନାଘନା ଚଳାଇଛି ପୋଲିସ ।

ହତ୍ୟାକାଣ୍ଡ ଘଟଣାର ଅଗ୍ରଗତି ନେଇ ଏୟାର ଫିଲ୍ଡ  ଥାନାରେ ଜରୁରୀକାଳୀନ ବୈଠକ ବସିଥିବା ସୂଚନା ମିଳିଛି । ବୈଠକରେ ପୁଲିସ କମିସନର, ଅତିରିକ୍ତ ପୁଲିସ କମିଶନର, ଡିସିପି, ଏସିପି ଏବଂ ଆଇଆଇସି ସାମିଲ ଥିବା ବେଳେ ସ୍ପେଶାଲ ସ୍କ୍ୱାଡକୁ ତଦନ୍ତ ଭାର ଦିଆଯାଇଛି ।

ତେବେ ଦୀପାବଳି ରାତିରେ ଅମରେଶ ନାୟକଙ୍କୁ ଏକାମ୍ର କଲେଜ ପାଖରେ ଅର୍ଥାତ ଏୟାରଫିଲ୍ଡ ଥାନାରୁ ମାତ୍ର ୪ ଶହ ମିଟର ଦୂରରେ କିଛି ଦୁର୍ବୃତ୍ତ ଗୋଡାଇ ଗୋଡାଇ ଅମରେଶକୁ ହାଣି ହତ୍ୟା କରିଥିଲେ । ବାଣ ଫୁଟାକୁ ନେଇ ବିବାଦରୁ  ତାଙ୍କୁ ନିର୍ମମ ହତ୍ୟା କରିଥିଲେ ଦୁର୍ବୃତ୍ତ ଆଉ ହତ୍ୟା ପରେ ତାଙ୍କ ଘରେ  ମୃତ୍ୟୁର ଖବର ବି ଦେଇଥିଲେ ।

ସେପଟେ ଆଜି ସେ ଲୋମଟାଙ୍କୁରା ହତ୍ୟାକାଣ୍ଡ ଦେଖିଥିବା କଥା ଗଣମାଧ୍ୟମ ଆଗରେ କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ ଦେବପ୍ରସାଦ ସେଠୀ । ୧୫ରୁ ୨୦ ଜଣ ଅମରେଶଙ୍କୁ ହତ୍ୟା କରିଥିବା ବେଳେ ସେ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ହାଣି ଦେବେ ବୋଲି ଧମକ ଦେଇଥିଲେ ସେମାନେ।

ସମ୍ବନ୍ଧିତ ଖବର