ବାରିପଦା: ପୁଣି ସାମ୍ନାକୁ ଆସିଛି ଜଣେ ରଙ୍ଗିଲା ଅଧ୍ୟାପକଙ୍କ ନିନ୍ଦନୀୟ କାରନାମା। ସ୍ଥାନୀୟ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଇଂରାଜୀ ବିଭାଗର ମୁଖ୍ୟଙ୍କ ବିରୋଧରେ ଆସିଛି ଜନେକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ। ଘଟଣାର ପ୍ରାୟ ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଗୁରୁବାର କଲେଜ୍‌ ସାମ୍ନାରେ ଛାତ୍ରଛାତ୍ରୀମାନେ ଫାଟକ ବନ୍ଦ କରି ଆନ୍ଦୋଳନ କରିଥିଲେ। ଶେଷରେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ମାଛଡ଼ଙ୍କା ଅଞ୍ଚଳର ବାସିନ୍ଦା ତଥା ଅଭିଯୁକ୍ତ ଇଂରାଜୀ ଅଧ୍ୟାପକ ବିଦ୍ୟାଧର ଅଣ୍ଡିଆଙ୍କୁ ବାରିପଦା ଟାଉନ ଥାନା ପୁଲିସ୍‌ ଗିରଫ କରିଛି।

Advertisment

publive-image

ଉଲ୍ଲେଖଯୋଗ୍ୟ ଯେ ଚଳିତ ମାସ ୧୫ରେ ଏମ୍ପିସି ସ୍ୱୟଂଶାସିତ ମହାବିଦ୍ୟାଳୟର ଇଂରାଜୀ ବିଭାଗର ମୁଖ୍ୟ ବିଦ୍ୟାଧର ଅଣ୍ଡିଆ ସ୍ୱତନ୍ତ୍ର କ୍ଲାସ ନେବା ନିମନ୍ତେ ଇଂରାଜୀ ସ୍ନାତକୋତ୍ତର ବିଭାଗରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଡାକିଥିଲେ। ମାତ୍ର ଅନ୍ୟ ସମସ୍ତ ଛାତ୍ରଛାତ୍ରୀ ଆସିବା ପୂର୍ବରୁ ଜଣେ ଛାତ୍ରୀ ପ୍ରଥମେ ଆସି ପହଁଞ୍ଚିଥିଲେ। ଉକ୍ତ ଇଂରାଜୀ ସ୍ନାତକୋତ୍ତର ବିଭାଗର ଛାତ୍ରୀଙ୍କୁ ଏକାକୀ ଦେଖିବା ପରେ ମହାବିଦ୍ୟାଳୟର ଇଂରାଜୀ ବିଭାଗର ସହକାରୀ ପ୍ରଫେସର ତଥା ମୁଖ୍ୟ ଛାତ୍ରୀଙ୍କ ସହ ବଳପୂର୍ବକ ଅସଦାଚରଣ କରିଥିବା କଲେଜ ଅଧ୍ୟକ୍ଷା ଝରଣା ବେହେରାଙ୍କ ନିକଟରେ ଅଭିଯୋଗ ହୋଇଥିଲା।

ତୁରନ୍ତ ଅଭିଯୁକ୍ତ ସହକାରୀ ପ୍ରଫେସରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରିଥିଲେ ଛାତ୍ରଛାତ୍ରୀ। ଅଧ୍ୟକ୍ଷା ଶ୍ରୀମତୀ ବେହେରା ସ୍ୱତନ୍ତ୍ର କମିଟି ଗଠନ କରି ଓ୍ଵିମେନ ହାରସମେଣ୍ଟ ସେଲରେ ଅଭିଯୋଗର ବିଚାର କରାଯିବ ବୋଲି ଛାତ୍ରଛାତ୍ରୀମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଘଟଣାକୁ ୬ ଦିନ ଅତିକ୍ରାନ୍ତ ହୋଇ ସାରିଥିଲେ ମଧ୍ୟ ଅଧ୍ୟକ୍ଷା ଅଭିଯୁକ୍ତ ସହକାରୀ ପ୍ରଫେସରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଆଜି ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟର ମୁଖ୍ୟ ଫାଟକକୁ ବନ୍ଦ କରି ଆନ୍ଦୋଳନ ଆରମ୍ଭ କରିଥିଲେ।

publive-image

ଖବରପାଇ ଅଭିଯୁକ୍ତ ସହକାରୀ ପ୍ରଫେସର ମହାବିଦ୍ୟାଳୟର ଏକ କୋଠରୀ ମଧ୍ୟରେ ଲୁଚି ଯାଇଥିଲେ। ଶେଷରେ ତାଙ୍କୁ ଖୋଜି ବାହାର କରାଯାଇ ଅଧ୍ୟକ୍ଷାଙ୍କ ସମ୍ମୁଖରେ ହାଜର କରାଯାଇଥିଲା। ବାରିପଦା ଟାଉନ ଥାନା ପୁଲିସ ମଧ୍ୟ ମହାବିଦ୍ୟାଳୟରେ ପହଁଞ୍ଚି ଅଭିଯୁକ୍ତ ବିଦ୍ୟାଧର ଅଣ୍ଡିଆଙ୍କୁ ଗିରଫ କରି ଥାନାକୁ ନେଇ ଆସିଥିଲେ। ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ କ୍ରମେ ବାରିପଦା ଟାଉନ ଥାନାରେ ମାମଲା ରଜୁ କରାଯାଇ ଅଭିଯୁକ୍ତ ବିଦ୍ୟାଧରଙ୍କୁ ଗିରଫ କରାଯାଇଛି।