ପୁଣେ: ସ୍ବାମୀ ଋଣ ଶୁଝି ନପାରିବାରୁ ସ୍ତ୍ରୀକୁ ଦୁଷ୍କର୍ମ। ପୁଣେରେ ଘଟିଛି ଏଭଳି ଅଭାବନୀୟ ଘଟଣା। କୁହାଯାଉଛି ଯେ, ଋଣ ନେଇ ସ୍ବାମୀ ଶୁଝି ନପାରିବାରୁ ଛୁରୀ ଦେଖାଇ ୩୪ବର୍ଷୀୟ ମହିଳାଙ୍କ ସହ ଦୁଷ୍କର୍ମ କରାଯାଇଥିଲା। ଚଳିତ ବର୍ଷ ଫେବ୍ରୁଆରିରେ ଏହି ଘଟଣା ଘଟିଥିବା ବେଳେ ଏବେ ପୀଡ଼ିତା ପୁଲିସରେ ଏହାର ଅଭିଯୋଗ କରିଛନ୍ତି।
ପୁଲିସର ସୂଚନା ମୁତାବକ, କିଛି ମାସ ତଳେ ପୀଡ଼ିତାଙ୍କ ସ୍ବାମୀ, ଅଭିଯୁକ୍ତ ଇମତିଆଜ୍ ଶେଖଠାରୁ ୪୦ହଜାର ଟଙ୍କାର ଋଣ ବିନା ସୁଧରେ ଆଣିଥିଲେ। ହେଲେ ସେ ଏହାକୁ ଧାର୍ଯ୍ୟ ସମୟରେ ଦେବାକୁ ଅସଫଳ ହୋଇଥିଲେ। ଫେବ୍ରୁଆରିରେ ଅଭିଯୁକ୍ତ, ପୀଡ଼ିତା ଓ ତାଙ୍କ ସ୍ବାମୀଙ୍କୁ ହଡପସର ସରକାରୀ କଲୋନୀକୁ ଡାକି ଦେଇଥିବା ଟଙ୍କା ମାଗିଥିଲେ। ପୀଡ଼ିତାଙ୍କ ସ୍ବାମୀ ଆଉ କିଛି ଦିନ ସମୟ ମାଗିବା ପରେ ଅଭିଯୁକ୍ତ ଇମତିଆଜ୍ ଛୁରୀ ଦେଖାଇ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲା ଓ ଏହାର ଭିଡିଓ ରେକର୍ଡ କରିଥିଲା। ଦୁଷ୍କର୍ମ ପରେ ଜୀବନ ପ୍ରତି ବିପଦ ଥିବା ଜାଣି ପୀଡ଼ିତା ପୁଲିସରେ ଅଭିଯୋଗ କରିନଥିଲେ।
ପରେ ଅନେକ ଥର ଶାରୀରିକ ସମ୍ପର୍କ ରଖିବାକୁ ଅଭିଯୁକ୍ତ ବାଧ୍ୟ କରିଥିଲେ ବି ପୀଡ଼ିତା ମନା କରିଦେଇଥିଲେ। ଏହା ପରେ ଅଭିଯୁକ୍ତ ରାଗରେ ପୀଡ଼ିତାଙ୍କ ଦୁଷ୍କର୍ମର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଦେଇଥିଲେ। ଏଭଳି ହେବା ପରେ ପୀଡ଼ିତା ମଙ୍ଗଳବାର ପୁଲିସରେ ଅଭିଯୋଗ କରିଥିବା ସହ ବୁଧବାର ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ପରେ ଏବେ ଅଭିଯୁକ୍ତକୁ ୨ଦିନ ପାଇଁ ପୁଲିସ ହେପାଜତକୁ ପଠାଇଛନ୍ତି କୋର୍ଟ।