ଚଣ୍ଡିଗଡ଼: ଅକାଳୀ ଦଳର ନେତା ତଥା ପଞ୍ଜାବର ପୂର୍ବତନ ମନ୍ତ୍ରୀ ଓ ଏସଜିପିସି ସଦସ୍ୟ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବାର ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତ ସଚ୍ଚା ସିଂହ ଲଙ୍ଗାହଙ୍କ ବିରୋଧରେ ମାମଲା ରୁଜୁ କରିଛି। ସଚ୍ଚାଙ୍କ ବୟସ ପାଖାପାଖି ୬୫ବର୍ଷ ହେବ ବୋଲି ଜଣାପଡ଼ିଛି। ସଚ୍ଚା ସିଂହଙ୍କର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି, ଯେଉଁଥିରେ ସେ ଜଣେ ମହିଳାଙ୍କ ସହିତ ଆପତ୍ତିଜନକ ସ୍ଥିତିରେ ଥିବାର ଦେଖିବାକୁ ମିଳିଛି।
ପୁଲିସ ସୂତ୍ରରୁ ପ୍ରକାଶ, ଭିଜିଲାନ୍ସ ଡିପାର୍ଟମେଣ୍ଟରେ କ୍ଲର୍କ ଭାବେ କାମ କରୁଥିବା ଜଣେ ମହିଳା ଗତ ସେପ୍ଟେମ୍ବର ୨୮ରେ ଗୁରଦାସପୁର ଏସଏସପିଙ୍କୁ ଭିଡିଓ କ୍ଲିପ୍ ଓ ଏକ ପେନଡ୍ରାଇଭ ସହିତ ଆଫିଡେବିଟ ଦେଇଥିଲେ। ପୁଲିସ ଏହାର ଯାଞ୍ଚ ଆରମ୍ଭ କରିଛି।
ଗୁରଦାସପୁର ଗାଁ ସୋହଲରେ ରହୁଥିବା ପୀଡିତା ମହିଳା କହନ୍ତି, ସଚ୍ଚା ସିଂହ ଲଙ୍ଗାହଙ୍କ ପୁଅ ସହ ମୁଁ ପାଠ ପଢ଼ୁଥିଲି। ସଚ୍ଚା ୨୦୦୯ରୁ ଏଯାବତ୍ ଅନେକ ଥର ମୋ ସହିତ ଦୁଷ୍କର୍ମ କରି ଆସିଛନ୍ତି। ଯଦି ଏହି ଘଟଣା ସମ୍ପର୍କରେ ମୁଁ କହାରିକି କିଛି କହେ ସେ ମୋତେ ଜୀବନରୁ ମାରି ଦେବାକୁ ଧମକ ଦେଉଥିଲେ। ଦିନକୁ ଦିନ ତାଙ୍କ ଅତ୍ୟାଚାର ବଢ଼ିବାରେ ଲାଗିଥିଲା। ପୁଲିସରେ ସଚ୍ଚାଙ୍କ ବିରୋଧରେ ଅଭିଯୋଗ ଦେବାର ୧୨ଦିନ ପୂର୍ବରୁ ମୁଁ ତାଙ୍କ ପାଖକୁ ଯାଇଥିଲି ଏବଂ କହିଥିଲି ଏଥିରୁ ନିଜକୁ ନିବୃତ୍ତ ରଖନ୍ତୁ, ନହେଲେ ମୁଁ ପୁଲିସର ସାହାଯ୍ୟ ନେବି। ସେ ମୋତେ କହିଥିଲେ, ତୋର ଯାହା କରିବାର ଅଛି କର, ମୋର ବହୁ ଉଚ୍ଚପଦସ୍ଥକର୍ମଚାରୀଙ୍କ ସହିତ ସମ୍ପର୍କ ଅଛି। ତୁ ମୋର କିଛି ବିଗାଡି ପାରିବୁ ନାହିଁ।
ଏସଏସପି ହରଚରଣ ସିଂହ ଭୁଲ୍ଲରଙ୍କ କହିବାନୁସାରେ, ସେପ୍ଟେମ୍ବର ୨୮ରେ ମହିଳା ସଚ୍ଚାଙ୍କ ବିରୋଧରେ ଅଭିଯୋଗ ଦେବା ପରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଘଟଣାର ଯାଞ୍ଚ ଆରମ୍ଭ କରାଯାଇଥିଲା। ପୁଲିସ ମହିଳାଙ୍କ ଅଭିଯୋଗେ କ୍ରମେ ସେପ୍ଟେମ୍ବର ୨୯ରେ ସଚ୍ଚା ସିଂହଙ୍କ ବିରୋଧରେ ଦୁଷ୍କର୍ମ, ହତ୍ୟା, ଅସଦାଚରଣ ଆଦି ମାମଲା ରୁଜୁ କରିଥିଲେ। ଏହାପରେ ସଚ୍ଚା ଫେରାର ହୋଇଯାଇଥିଲେ।
ସଚ୍ଚା ସିଂହଙ୍କର ପାଖାପାଖି ୧୦୦କୋଟିରୁ ଅଧିକ ସମ୍ପତ୍ତି ରହିଛି। ପୂର୍ତ୍ତବିଭାଗର ମନ୍ତ୍ରୀ ହେବା ପୂର୍ବରୁ ତାଙ୍କ ପାଖରେ କେବଳ ୪ ବିଘା ଜମି ଥିଲା। ଏହି ଜମି ତାଙ୍କ ପୈତୃକ ଗ୍ରାମ ଲଙ୍ଗାହରେ ରହିଛି। ଏତଦ୍ ବ୍ୟତୀତ ସଚ୍ଚାଙ୍କ ୭୩ଟି ଦୋକାନ, ଟ୍ରାନ୍ସପୋର୍ଟ କମ୍ପାନି, ମୁମ୍ବାଇରେ ସିପିଂ କମ୍ପାନି, ଧାରକଲା ତହସିଲର ଗ୍ରାମ ସୁକରେତରେ ୮୦ଏକର ଜମି, ଚଣ୍ଡିଗଡ଼ରେ ୩ଟି କୋଠା, ପେଟ୍ରୋଲ ପମ୍ପ, ଦିଲ୍ଲୀର ମେହରୋଲି ଓ ଉତ୍ତର ପ୍ରଦେଶର ପିଲିଭିତରେ ମଧ୍ୟ ତାଙ୍କ ଜମି ଅଛି।
ଆୟ ବର୍ହିଭୂତ ସମ୍ପତ୍ତି ଥିବା ନେଇ କ୍ୟାପଟନ୍ ଅମରିନ୍ଦ ସିଂହ ସରକାର ସମୟରେ ୨୦୦୨ ମଇ ୧୬ରେ ଭିଜିଲାନ୍ସ ବ୍ୟୁରୋ ସଚ୍ଚା ସିଂହଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। କେବଳ ଏତିକି ନୁହେଁ ପୂର୍ତ୍ତବିଭାଗର ମନ୍ତ୍ରୀ ଥିବା ବେଳେ ସଚ୍ଚା ସିଂହ ୧୨.୧୦କୋଟି ଲାଞ୍ଚ ନେଉଥିବାର ମଧ୍ୟ ଅଭିଯୋଗ ହୋଇଥିଲା। ଏହି ମାମଲାର ଶୁଣାଣି କରି ୨୦୧୫ ଫେବ୍ରୁଆରିରେ ମୋହାଲି କୋର୍ଟ ସଚ୍ଚା ସିଂହଙ୍କୁ ୩ବର୍ଷ ଜେଲଦଣ୍ଡ ସହିତ ୧.୧୦କୋଟି ଟଙ୍କାର ଜରିମାନା ମଧ୍ୟ କରିଥିଲେ।