ପୁରୀ ଦୁଷ୍କର୍ମ ମାମଲା: ବସ୍‌ ପରମିଟ୍‌ ବାତିଲ, ଡ୍ରାଇଭର-କଣ୍ଡକ୍ଟରଙ୍କ ଲାଇସେନ୍ସ ରଦ୍ଦ

ପୁରୀ: ପୁରୀର ଶରଧାବାଲିରେ ଆଦିବାସୀ ନାବାଳିକା(୧୬ ବର୍ଷ)ଙ୍କୁ ଦୁଷ୍କର୍ମ ଘଟଣାରେ ପୁରୀ ପୁଲିସ ଅଧିକ ତତ୍ପର ଦେଖାଯାଇଛି। ବସ୍‌ ମାଲିକକୁ ପୁରୀ ପୁଲିସ ନୋଟିସ ଜାରି କରିଛି। ଏଥି ସହିତ ବସ୍‌ର ପରମିଟ୍‌ ବାତିଲ କରିଛି। ସେହିଭଳି ସଂପୃକ୍ତ ବସ୍‌ର ଡ୍ରାଇଭର ଓ ଚାଳକଙ୍କର ଲାଇସେନ୍ସ ମଧ୍ୟ ବାତିଲ ହୋଇଛି। ଏହି ଘଟଣା ସହିତ ଅଭିଯୁକ୍ତଙ୍କୁ ପୁଲିସ ପୂର୍ବରୁ ଗିରଫ କରିଛି।

ନାବାଳିକାଙ୍କ ଅଭିଯୋଗ ଅଧାରରେ ପୁଲିସ ଏ ନେଇ ଦଫା ୩୭୬ ଓ ପୋସ୍କୋ ଆକ୍ଟ ବଳରେ ୧୩୭/୧୯ ନମ୍ବର ମାମଲା ରୁଜୁ କରି ଅଭିଯୁକ୍ତ ଯୁବକ ଗୋପ, ଜାଉଁଳିପୋଖରୀର ଅଞ୍ଚଳର ନାରାୟଣ ମଲ୍ଲିକ ଓରଫ ନାରଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁରୀରେ ରଥଯାତ୍ରା ଚାଲିଥିବା ବେଳେ ଏଭଳି ଏକ ଘଟଣା ପୁଲିସ ପାଇଁ ଆହ୍ଵାନ ହୋଇଛି। ଜଣେ ନାବାଳିକା ସୋମବାର ରାତିରେ ବିକଳରେ କାନ୍ଦୁଥିବା ବେଳେ ଶରଧାବାଲି ଅଞ୍ଚଳର କିଛି ଦୋକାନୀ ଏ ସଂପର୍କରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିବା ପରେ ସତ ଜାଣିଥିଲେ।

ଅଭିଯୋଗ ମୁତାବକ, ମାଳତୀପାଟପୁର ଅଞ୍ଚଳର ୱାଟର ପାର୍କରେ କାମ କରୁଥିବା ନାବାଳିକା ଜଣକ ଗତ ୨୯ ତାରିଖରେ ନିଜ ଗାଁକୁ ତୁଷାରତାଜ ନାମକ ଏକ ବସରେ ଯାଇଥିଲେ। ବସରେ ହେଲପର କାମ କରୁଥିବା ନାରଣ ସହିତ ନାବାଳିକାଙ୍କ ପରିଚୟ ହୋଇଥିଲା। କୌଶଳକ୍ରମେ ନାରଣ ନାବାଳିକାଙ୍କ ଫୋନ ନମ୍ବର ରଖିଥିଲା। ନାବାଳିକା ଜଣକ ପୁରୀ ଫେରୁଥିବା ଜାଣି ତାଙ୍କ ବସରେ ଆସିବାକୁ ଅନୁରୋଧ କରିଥିଲା। ନାବାଳିକା ଭୁବନେଶ୍ୱରରୁ ଏହି ବସରେ ଆସିଥିଲେ।

ବସଷ୍ଟାଣ୍ଡରେ ବସ ପହଞ୍ଚିବା ପରେ ନାବାଳିକା ଜଣକ ଘରକୁ ଯିବାକୁ ବାହାରିଥିଲେ କିନ୍ତୁ ବିଳମ୍ବିତ ରାତି ହୋଇଥିବାରୁ ବସରେ ଶୋଇଯିବାକୁ ନାରାଣ କହିଥିଲେ। ଶୋଇପଡିବା ପରେ କେହି ନଥିବା ବେଳେ ଅଭିଯୁକ୍ତ ନାରଣ ନାବାଳିକା ସହିତ ଦୁଷ୍କର୍ମ କରିଥିଲା। ଏହା ପରେ ନାରଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ନାବାଳିକା ଜଣକ ଅସହାୟ ହୋଇ କାନ୍ଦି କାନ୍ଦି ବସଷ୍ଟାଣ୍ଡରୁ ବାହାରକୁ ଆସୁଥିବା ବେଳେ ଏ ସଂପର୍କରେ ସ୍ଥାନୀୟ କିଛି ଦୋକାନୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ନାବାଳିକାଙ୍କୁ ଉଦ୍ଧାର କରି ଡାକ୍ତରୀମାଇନା କରିବା ସହିତ ଅଭିଯୁକ୍ତକୁ ଅଟକ ରଖିଥିଲା।

ସମ୍ବନ୍ଧିତ ଖବର