ବାଲିଅନ୍ତା : ପିପିଲି ଅଞ୍ଚଳରେ ଦୀର୍ଘ ୧୫ ବର୍ଷ ଧରି ଚାଲିଥିବା ୩ଟି ବେଆଇନ ସ’ ମିଲ୍‌ ଉପରେ ଆଜି ବାଳକାଟିସ୍ଥିତ ବନବିଭାଗ ଅତର୍କିତ ଚଢ଼ଉ କରି ୨୦ ଲକ୍ଷ ଟଙ୍କାର ଯନ୍ତ୍ରାଂଶ, ଗୋଟିଏ ଟ୍ରାକ୍ଟର୍‌ ଓ ବହୁ ମୂଲ୍ୟବାନ୍ କାଠ ଜବତ କରିଛି। ଏହି ବେଆଇନ କାରବାର ଅଭିଯୋଗରେ ୨ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ, ଟ୍ରାକ୍ଟର ଚାଳକ ହବି ରହେମାନ ଓ ଶେଖ ଜୁବେଲ। ଉଭୟଙ୍କ ଘର ପିପିଲି ଭବାନୀପୁର ଅଞ୍ଚଳରେ। ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସିଏଫ୍‌ ରବି ନାରାୟଣ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ଆଇନ ଉଲ୍ଲଂଘନକାରୀ ସ’ ମିଲ ମାଲିକଙ୍କୁ ଗିରଫ କରା ନ ଯିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାଳକାଟି ରେଞ୍ଜର୍‌ ଜୟକୃଷ୍ଣ ଯଦୁମଣି ଦାସଙ୍କ ସୂଚନା ଅନୁଯାୟୀ, ପିପିଲି ପଣ୍ଡାବଜାରସ୍ଥିତ ଦୀପୁ ସାହୁ, ହନୁମାନ ମନ୍ଦିର ନିକଟସ୍ଥ ରହେମାନ ଓ ଚର୍ଚ୍ଚ ନିକଟରେ ଥିବା ତପୁ ପରିମାଣିକଙ୍କ ସ’ ମିଲ୍ ଉପରେ ଚଢ଼ଉ ହୋଇଥିଲା। ଚଢ଼ଉ ସମୟରେ ମିଲ ମାଲିକମାନେ ସେଠାରୁ ଖସି ପଳାଇଥିଲେ ହେଁ ସ୍କ୍ବାଡ୍‌ ସେମାନଙ୍କୁ କାବୁ କରି ପାରିନଥିଲା।