ଆଇଓ୍ଵା ଟ୍ରାଭେଲ୍ସରେ ଚଢ଼ଉ, ଜେଲ୍‌ ଗଲେ ଦେବୀପ୍ରସାଦ

ବିଦେଶ ଭ୍ରମଣ ନାଁରେ କୋଟିଏ ଟଙ୍କାର ଠକେଇ ମାମଲା

ଭୁବନେଶ୍ୱର: ବିଦେଶ ଭ୍ରମଣ କରାଇ ଦେବା ନାଁରେ କୋଟିଏ ଟଙ୍କାର ଠକେଇ ଅଭିଯୋଗରେ ସହିଦନଗର ଥାନା ପୁଲିସ ଗିରଫ କରିଥିବା ଦେବୀ ପ୍ରସାଦ ପାଣିଗ୍ରାହୀଙ୍କୁ ଆଜି କୋର୍ଟର୍ ଚାଲାଣ କରିଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ଜେଲ୍‌ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ଆଜି ପୁଲିସ ପକ୍ଷରୁ ବମିଖାଲରେ ଥିବା ଆଇଓ୍ଵା ଟୁର୍‌ସ ଆଣ୍ଡ ଟାଭେଲ୍ସ ଉପରେ ଚଢ଼ଉ କରି ପୁଲିସ କେତେକ କାଗଜପତ୍ର ଓ କମ୍ପ୍ୟୁଟର୍‌ ଆଦି ଜବତ କରିଛି। ଠକେଇରେ ସଂପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି।

ସହିଦନଗର ଥାନା ଇନ୍ସପେକ୍ଟର କିଶୋର ମୁଣ୍ଡଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଆଇଓ୍ଵା ଟୁର୍‌ସ ଆଣ୍ଡ ଟ୍ରାଭେଲ୍ସ ବିରୋଧରେ ୧୭ ଜଣ ଠକେଇ ଅଭିଯୋଗ କରିଛନ୍ତି। ପୁଲିସ ୩ଟି ମାମଲା ରୁଜୁ କରିଥିବାବେଳେ ୧୪ ଜଣଙ୍କୁ ଏହି ମାମଲାରେ ଯୋଡ଼ା ଯାଇଛି। ଦେବୀପ୍ରସାଦଙ୍କର ଜଣେ ସହଯୋଗୀ ଦୀପକ ବିଶ୍ୱାଳଙ୍କୁ ପୁଲିସ ଗିରଫ କରିବାକୁ ଚଢ଼ଉ ଆରମ୍ଭ ହୋଇଛି। ଖୁବ୍‌ ଶୀଘ୍ର ତାକୁ ମଧ୍ୟ ଗିରଫ କରାଯିବ ବୋଲି ପୁଲିସ କହିଛି।

ମିଳିଥିବା ସୂଚନା ମୁତାବକ, ସହିଦନଗର ଥାନା ଅଧୀନ ବମିଖାଲ କେଶବ କଂପ୍ଲେକ୍ସରେ ରହିଛି ଆଇଓ୍ଵା ଟୁର୍‌ସ ଆଣ୍ଡ ଟ୍ରାଭେଲ୍ସ। ଏହି ସଂସ୍ଥା ମାଲେସିଆ, ସିଙ୍ଗାପୁର ଆଦି ପର୍ଯ୍ୟଟନସ୍ଥଳକୁ ବୁଲାଇବାକୁ ୭ ରାତି ଓ ୮ ଦିନର ଏକ ଟୁର୍‌ ପ୍ୟାକେଜ୍‌ ବିଭିନ୍ନ ଗଣମାଧ୍ୟମରେ ବିଜ୍ଞାପନ ଦେଇଥିଲା। ବିଜ୍ଞାପନ ଦେଖି ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ରାଣୀପାଟଣା ଅଞ୍ଚଳର ଏଲ୍‌ଆଇସି ଡିଓ ସନାତନ ବେହେରା, କଟକ ହାଇକୋର୍ଟର ଆଇନଜୀବୀ ଡାକ୍ତର ଗାୟତ୍ରୀ ଦେବୀଙ୍କ ଭଳି ଅନେକ ବ୍ୟକ୍ତି ବିଦେଶ ଭ୍ରମଣରେ ଯିବାକୁ ଆବେଦନ କରିଥିଲେ। ଏଥିପାଇଁ ଶ୍ରୀ ବେହେରା ସଂସ୍ଥା ନିକଟରେ ୧୨ରୁ ୧୬ ଲକ୍ଷ ଟଙ୍କା ଲେଖାଁଏ ବ୍ୟାଙ୍କ ଚେକ୍‌ ଜମା କରିଥିଲେ। କିନ୍ତୁ ହଠାତ୍‌ ୩ ମାସ ତଳେ ସେମାନେ ଭୁବନେଶ୍ୱରରେ ପହଞ୍ଚି ଦେଖିବାକୁ ପାଇଥିଲେ ସେହି ଟ୍ରାଭେଲ୍‌ ଏଜେନି୍ସ କାର୍ଯ୍ୟାଳୟରେ ତାଲା ପଡ଼ିଥିଲା। ଆଉ ଶ୍ରୀବେହେରା ଜାଣିବାକୁ ପାଇଥିଲେ ତାଙ୍କ ଭଳି ଆହୁରି ୨୪ଟି ପରିବାର ସାମନ ଢଙ୍ଗରେ ଠକେଇର ଶିକାର ହୋଇଛନ୍ତି। ଏ ନେଇ ସହିଦନଗର ଥାନାରେ ସମସ୍ତେ ଏକତ୍ର ହୋଇ ଅଭିଯୋଗ କରିଛନ୍ତି। ପୁଲିସ ତାଙ୍କ ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଆରମ୍ଭ କରିଥିଲା। ଗତକାଲି ସହିଦନଗର ଥାନା ପୁଲିସ ବଲାଙ୍ଗୀରରେ ଚଢ଼ଉ କରି ଦେବୀପ୍ରସାଦଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର