ନିଶା ମାଫିଆଙ୍କ ଉପରେ ଜୋରଦାର ଚଢ଼ଉ, ୫ ଗିରଫ, ବ୍ରାଉନସୁଗାର୍‌ ଓ ଗଂଜେଇ ଜବତ

ଭୁବନେଶ୍ବର: କମିସନରେଟ୍‌ ପୁଲିସ ପକ୍ଷରୁ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ଅଭିଯାନରେ ଆଜି ମଧ୍ୟ ୫ଜଣ ନିଶା ମାଫିଆ ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ପାଖାପାଖି ୨୭ ଗ୍ରାମ୍‌ ବ୍ରାଉନସୁଗାର ଓ କେଜିଏରୁ ଅଧିକ ଗଞ୍ଜେଇ ଜବତ କରିଛି। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ମିଳିଥିବା ସୂଚନା ମୁତାବକ, ସହିଦନଗର ଥାନା ପୁଲିସ ଶ୍ରୀଧର ବେହେରା ନାମକ ଜଣେ ଜଣେ ନିଶା ବେପାରୀକୁ ଗିରଫ କରିଛି। ତା’ ଘର ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା ଡାଳଖାଇ ମନ୍ଦିର ନିକଟ ବେହେରା ସାହିରେ। ପୁଲିସ ତା’ ନିକଟରୁ କେଜିଏରୁ ଅଧିକ ଗଞ୍ଜେଇ ଜବତ କରିଛି। ସେ ସହିଦନଗର ଥାନା ଅଧୀନ ବିର୍ସାମୁଣ୍ଡା ବସ୍ତିରେ ଗଞ୍ଜେଇ କାରବାର ଚଳାଉଥିଲା। ସେହିପରି ମଞ୍ଚେଶ୍ବର ଥାନା ପୁଲିସ ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି। ତା ନାଁ କୃଷ୍ଣଚନ୍ଦ୍ର ନାଥ। ଘର କଳାରାହାଙ୍ଗ‌‌ରେ। ପୁଲିସ ତା’ ନିକଟରୁ ୧୩ଗ୍ରାମ୍‌ ଓଜନର ବ୍ରାଉନସୁଗାର୍‌ ଜବତ କରିଛି। ଏୟା‌ରପୋର୍ଟ ଥାନା ଦୁଇଜଣ ନିଶା ବେପାରୀଙ୍କୁ ଗିରଫ କରିଛି। ସେମାନେ ହେଲେ, ସାଗର ନାୟକ ଓ ଦୀପକ କୁମାର ମହାପାତ୍ର। ପୁଲିସ ସେମାନଙ୍କ ନିକଟରୁ ୬ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଛି।

ଲକ୍ଷ୍ମୀସାଗର ଥାନା ପୁଲିସ ଆଜି ଆଉ ଜଣେ ବ୍ରାଉନସୁଗାର ମାଫିଆକୁ ପୁଲିସ ଗିରଫ କରିଛି। ତା ନାଁ ପ୍ରଦୀପ ପ୍ରଧାନ। ନିଜ ଘର ଗଞ୍ଜାମ ଜିଲ୍ଲା ଭଂଜନଗରରେ। ଏଠାରେ ସେ ହଳଦୀପଡ଼ିଆ ବସ୍ତିରେ ରହେ। ପୁଲିସ ତା ନିକଟରୁ ୮ ଗ୍ରାମ୍‌ ବ୍ରାଉନସୁଗାର ଓ ୧୬ଶହ ଟଙ୍କା ଜବତ କରିଛି। ଏହି ସ୍ବତନ୍ତ୍ର ଅଭିଯାନରେ ଲକ୍ଷ୍ମୀସାଗର ଥାନା ପୁଲିସ ସର୍ବାଧିକ ବ୍ରାଉନ୍‌ସୁଗାର ମାଫିଆଙ୍କୁ ହଳଦୀପଡ଼ିଆ ବସ୍ତିରୁ ଗିରଫ କରିସାରିଲାଣି। ଆଜି ଗିରଫ ହୋଇଥିବା ପ୍ରଦୀପ ହେଉଛି ୫ ନମ୍ବର ଅଭିଯୁକ୍ତ। ଏହି ବ୍ରାଉନସୁଗାର କାରବାରରେ ପୂର୍ବରୁ ଦୁଇଜଣ ମହିଳା ମଧ୍ୟ ଗିରଫ ହୋଇଥିଲେ। ଲକ୍ଷ୍ମୀସାଗର ଥାନା ପୁଲିସର ଏଭଳି ଗିରଫଦାରୀକୁ ପୁଲିସ କମିସନର ସତ୍ୟଜିତ ମହାନ୍ତି ପ୍ରଶଂସା କରିବା ସହିତ ବସ୍ତିବାସିନ୍ଦାଙ୍କୁ ସାଧୁବାଦ ଜଣାଇଛନ୍ତି। ବସ୍ତିରେ ଏଭଳି ଚଢ଼ଉ ଜାରି ରଖିବାକୁ ଆଜି ବସ୍ତିବାସିନ୍ଦା ଥାନାକୁ ଆସି ଦାବି କରିଛନ୍ତି। ଆଗାମୀ ଦିନରେ ଏଭଳି ଚଢ଼ଉ ଆହୁରି କରାଯାଇ ବସ୍ତିକୁ ବ୍ରାଉନସୁଗାର କବଳରୁ ମୁକ୍ତ କରାଯିବ ବୋଲି ଇନନ୍ସପେକ୍ଟର ଦୟାନିଧି ନାୟକ ପ୍ରତିଶ୍ରୁତି ଦେଇଛନ୍ତି। ଆଜିର ଗିରଫଦାରୀକୁ ମିଶାଇଲେ କମିସନରେଟ୍‌ ପୁଲିସ ୨୨ଟି ମାମଲା ରୁଜୁ କରି ୩୩ଜଣ ନିଶା ମାଫିଆଙ୍କୁ ଗିରଫ କରିସାରିଲାଣି। ଆଗାମୀ ଦିନରେ ଏଭଳି ଚଢ଼ଉ ଜାରି ରହିବ ବୋଲି ପୁଲିସ କମିସନର୍‌ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର