ଭୁବନେଶ୍ୱର : ରେଳ ଟିକେଟ୍‌ ଦଲାଲ ଗିରଫ, ଲ‌ାପ୍‌ଟପ୍‌ ଓ ୫୦୦ ଇ-ଟିକେଟ୍‌ ଜବତ

ଭୁବନେଶ୍ୱର : ରେଳ ଟିକେଟ୍‌କୁ ଦଲାଲମୁକ୍ତ କରିବା ପାଇଁ ଆଇଆରସିଟିସି ଜରିଆରେ ଅନ୍‌ଲାଇନ୍‌ ଇ-ଟିକେଟିଂ ବ୍ୟବସ୍ଥା ହୋଇଛି। ହେଲେ ଅନ୍‌ଲାଇନ୍‌ରେ ମଧ୍ୟ ଦଲାଲ ମାତିଛନ୍ତି। ବଡ଼ କଥା ହେଉଛି, ଏମାନେ ଯାତ୍ରୀଙ୍କ ନାମରେ ଆକାଉଣ୍ଟ ଖୋଲି ଟିକେଟ୍‌ ବିକ୍ରି କରୁଛନ୍ତି। ଯାତ୍ରୀ ଜାଣୁନାହାନ୍ତି, ତାଙ୍କ ନାମରେ ଇ-ମେଲ୍‌ ଆଇଡି ଖୋଲା ଯାଇ ପ୍ରତ୍ୟେକ ଦିନ ଟିକେଟ୍‌ କରାଯାଉଛି। ଏଭଳି କାରବାର ଚଳାଇଥିବା ଜଣେ ଦଲାଲକୁ ଆଜି ରେଳ ସୁରକ୍ଷା ବଳ(ଆରପିଏଫ୍‌) ଥାନା ଗିରଫ କରିଛି। ସେ ହେଲା, ପୁରୀ ଡେଲାଙ୍ଗ ଥାନା ପଟ୍ଟନାୟିକିଆର ବିଷ୍ଣୁ ପ୍ରସାଦ ପଟ୍ଟନାୟକ। ଜଣେ ଯାତ୍ରୀଙ୍କ ଆକାଉଣ୍ଟକୁ ସନ୍ଦେହ କରି ଏହି ଦଲାଲ ପାଖରେ ପହଞ୍ଚିଛି ଆର୍‌ପିଏଫ୍‌। ତା’ଠାରୁ ଏକ ଲ‌ାପ୍‌ଟପ୍‌ ସହ ୫ ଶହରୁ ଊର୍ଦ୍ଧ୍ବ ଇ-ଟିକେଟ୍‌ ଜବତ କରାଯାଇଛି। ତା’ ସହିତ ସେ ବ୍ୟବହାର କରୁଥିବା ୩ଟି ମୋବାଇଲ ମଧ୍ୟ ଜବତ କରାଯାଇଛି। ଲ‌ାପଟପ୍‌ ଓ ମୋବାଇଲ୍‌ ଜରିଆରେ ୪୫ଟି ଆକାଉଣ୍ଟ ଖୋଲି ଏହି ଦଲାଲି କରୁଥିବା ଜଣାପଡ଼ିଛି। ୨୦୧୬ ମସିହାରୁ ସେ ଏହି ଦଲାଲି କରି ଆସୁଥିବା ଏବଂ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଆର୍‌ପିଏଫ୍ ଜାଣିବାକୁ ପାଇଛି। ଗତବର୍ଷ ଏଭଳି ୨୪ ଜଣ ଦଲାଲ ଗିରଫ ହୋଇଥିବା ବେଳେ ଚଳିତବର୍ଷ ଏହି ଦଲାଲକୁ ମିଶାଇ ୩ଜଣ ଗିରଫ ହୋଇଥିବା ସୂଚନା ଦେଇଛନ୍ତି ଆରପିଏଫ୍ ଆଇଆଇସି କାଳୁ ସେଠୀ।

ସୂଚନା ମୁତବକ, ଯାତ୍ରୀଙ୍କ ସୁବିଧା ପାଇଁ ଇ-ଟିକେଟ୍‌ର ବ୍ୟବସ୍ଥା କରାଯାଇଛି। ଯେ କେହି ଆଇଆରସିଟିସିରେ ନିଜର ଆକାଉଣ୍ଟ ଖୋଲି ଟିକେଟ୍‌ ବୁକିଂ କରିପାରିବେ। ଗୋଟିଏ ଇ-ମେଲ୍‌ରେ ଗୋଟିଏ ଆକାଉଣ୍ଟ ଖୋଲାଯାଇ ପାରିବ ଏବଂ ଗୋଟିଏ ଆକାଉଣ୍ଟରେ ଥରକରେ ସର୍ବାଧିକ ଗୋଟିଏ ଶିଶୁ ସମେତ ୬ଟି ଟିକେଟ୍‌ କରାଯାଇପାରିବ। ଏଥିରୁ ଅଧିକ ଅଧିକ ଟିକେଟ୍‌ କଟା ହେଲେ, ତାହା ରେଳ ବିଭାଗର ସ୍କାନର୍‌କୁ ଆସିଯିବ। ତେବେ ଅଭିଯୁକ୍ତ ବିଷ୍ଣୁ ଚାଲାକି କରି ବିଭିନ୍ନ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ହାସଲ କରି ସେମାନଙ୍କ ନାମରେ ୪୦ରୁ ଊର୍ଦ୍ଧ୍ବ ଆକାଉଣ୍ଟ ଖୋଲି ଏହି କାରବାର ଚଳାଇ ଆସୁଥିଲା।

ସମ୍ବନ୍ଧିତ ଖବର