ଶ୍ରମିକଙ୍କୁ ଜିଅନ୍ତା ଜାଳିଦେଲେ, ଅଭିଯୁକ୍ତ ଗିରଫ

ରାଜସ୍ଥାନରେ ‘ଲଭ୍‌ ଜିହାଦ’ର ପ୍ରତିଶୋଧ!: 

ଜୟପୁର(ରାଜସ୍ଥାନ): ତଥାକଥିତ ‘ଲଭ୍‌ ଜିହାଦ’ ବ୍ୟାପାରରୁ ନିଜ ଭଉଣୀକୁ ଖସାଇ ଆଣିବା ପାଇଁ ରାଜସ୍ଥାନର ରାଜସମନ୍ଦ ଜିଲ୍ଲାରେ ଜଣେ ଯୁବକ ପଶ୍ଚିମବଙ୍ଗର ଜଣେ ଭିନ୍ନ ସମ୍ପ୍ରଦାୟ ଯୁବକକୁ ଟାଙ୍ଗିଆରେ ଆକ୍ରମଣ କରି ଜିଅନ୍ତା ଜାଳିଦେବା ଘଟଣା ଆଲୋଡ଼ନ ଆଣିଛି। ଏପରିକି ଅଭିଯୁକ୍ତ ହତ୍ୟାକାରୀ ଜଣକ ଏହି ନୃଶଂସ ଘଟଣାର ଭିଡିଓ କ୍ଲିପ୍‌କୁ ନିଜେ ହ୍ଵାଟ୍‌ସ ଅପ୍‌ରେ ଛାଡ଼ିବା ସହ ଭଉଣୀ ରାସ୍ତାରୁ ଭିନ୍ନସମ୍ପ୍ରଦାୟ ପ୍ରେମିକକୁ ହଟାଇବା ଲାଗି ସେ ଏପରି କରିଛି ବୋଲି କହିଛି। ଏହା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ପୁଲିସ ଅଭିଯୁକ୍ତ ହତ୍ୟାକାରୀ ଏବଂ ସେହି ଦୃଶ୍ୟର ଭିଡିଓ ଉତ୍ତୋଳନ କରିଥିବା ଅଭିଯୁକ୍ତର ନାବାଳକ ପୁତୁରାକୁ ମଧ୍ୟ ଗିରଫ କରିଛି। ଅପରପକ୍ଷେ, ରାଜସ୍ଥାନ ସରକାର ମାମଲାର ଏସ୍‌ଆଟି ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ମୃତ ଯୁବକଙ୍କ ପରିବାର ପକ୍ଷରୁ ଅଭିଯୁକ୍ତର ଫାଶୀ ଦାବି କରିଛନ୍ତି। ମିଳିଥିବା ସୂଚନାନୁଯାୟୀ, ପଶ୍ଚିମବଙ୍ଗର ମାଲଦା ଜିଲ୍ଲା ଅନ୍ତର୍ଗତ ସୟେଦପୁର କାଲିଛକ ଅଞ୍ଚଳର ଆଫ୍ରାଜୁଲ୍‌ ଖାଁ(୪୭) ରାଜସ୍ଥାନ ଆସି ଜଣେ ଅଣକୁଶଳୀ ଶ୍ରମିକ ହିସାବରେ ଜୀବିକା ଅର୍ଜ୍ଜନ କରୁଥିଲେ। ତିନି ସନ୍ତାନର ଜନକ ଆଫ୍ରାଜୁଲ୍‌ ଦୀର୍ଘ ୧୨ ବର୍ଷ ହେଲା ରାଜସ୍ଥାନରେ ରହି ଆସୁଥିବା ବେଳେ ପ୍ରତି ଦୁଇ ମାସରେ ଥରେ ପରିବାରର ଭଲମନ୍ଦ ବୁଝିବା ପାଇଁ ଗାଁକୁ ଆସିଥାନ୍ତି। ନିଜ ବଡ଼ ଝିଅର ବାହାଘର ପାଇଁ ଏ ମାସ ଶେଷ ଆଡ଼କୁ ସେ ଘରକୁ ଫେରିବାର ଥିଲା। ମାତ୍ର ଭାଇରାଲ ହୋଇଥିବା ଭିଡିଓରୁ ସବୁ କିଛି ଓଲଟପାଲଟ ହୋଇଯାଇଥିବା ଜଣାପଡ଼ିଥିଲା। ଭିଡିଓରେ ସ୍ଥାନୀୟ ରାଜସମୁନ୍ଦ ଅଞ୍ଚଳର ଜନୈକ ଯୁବକ ଶମ୍ଭୁନାଥ ରାଇଗର ଆଫ୍ରାଜୁଲ୍‌ଙ୍କୁ ଏକ କ୍ଷେତକୁ ଡାକିନେଉଛି। ପରେ ସେ ଏକ ଟାଙ୍ଗିଆରେ ପଛରୁ ଚୋଟ ପରେ ଚୋଟ ପକାଉଛି। ଆଫ୍ରାଜୁଲ୍‌ ଚିତ୍କାର କରି ଯେତେ ନେହୁରା ହୋଇଥିଲେ ବି ସେ ଛାଡ଼ିନଥିଲା। ବରଂ ଆଫ୍ରାଜୁଲ୍‌ଙ୍କ ପଛରୁ ପେଟ୍ରୋଲ୍‌ ଢାଳି ଜିଅନ୍ତା ନିଆଁ ଚେଙ୍ଗିଦେଇଥିଲା। ଏପରିକି ଏହି ବର୍ବର କାଣ୍ଡର ଭିଡିଓ ଉତ୍ତୋଳନ କରିବାକୁ ସେ ନିଜ ପୁତୁରାକୁ ନିୟୋଜିତ କରିଥିଲା। ଏହି ଭିଡିଓକୁ ଶମ୍ଭୁନାଥ ସୋସିଆଲ୍‌ ମିଡିଆରେ ଛାଡ଼ିବା ସହ ପରେ ଆଉ ଏକ ଭିଡିଓ ବାର୍ତ୍ତାରେ ନିଜ କାର୍ଯ୍ୟକୁ ଯୁକ୍ତିଯୁକ୍ତ ଦର୍ଶାଇଛି। ନିଜ ଭଉଣୀକୁ ଲଭ୍‌ ଜିହାଦ୍‌ରୁ ମୁକୁଳାଇବା ପାଇଁ ସେ ଏପରି ପ୍ରତିଶୋଧ ନେଇଛି ବୋଲି କହିଛି।

ପୁଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିବା ସହ ଅଭିଯୁକ୍ତକୁ ଗିରଫ କରିଛି। ଖବର ପାଇ ଆଫ୍ରାଜୁଲ୍‌ଙ୍କ ପରିବାର ବର୍ଗ ମାନସିକ ସ୍ତରରେ ଭୁଶୁଡ଼ିପଡ଼ିଥିବା ବେଳେ ଅଭିଯୁକ୍ତକୁ ଫାଶୀ ପରି କଠୋର ଦଣ୍ଡ ଦାବି କରିଛନ୍ତି। ଗୁରୁବାର ସକାଳେ ରାଜସମନ୍ଦ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୭୦୦ ମିଟର ଦୂର ଏକ କ୍ଷେତରୁ ଆଫ୍ରାଜୁଲ୍‌ଙ୍କ ଦରପୋଡ଼ା ଶବ ଉଦ୍ଧାର କରାଯାଇଛି। ଏହାକୁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶପାଇଥିବା ବେଳେ ସଂପୃକ୍ତ ଭିଡିଓର ଆଉ ଅଧିକ ପ୍ରସାରଣ ନହେବା ଲାଗି ଜିଲ୍ଲା ସାରା ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି।

ସମ୍ବନ୍ଧିତ ଖବର