ନୂଆଦିଲ୍ଲୀ: ରାଜସ୍ଥାନର ଶ୍ରୀନଗରରେ ମାତ୍ର ୨୦ଟଙ୍କା ପାଇଁ ଜଣେ ବାଉନସର ଯୁବକଙ୍କୁ ମାଡ଼ମାରି ଆହତ କରି ଦେଇଛନ୍ତି। ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଯୁବକଙ୍କ ତିନିଦିନ ହେବ ଚେତା ଫେରୁନାହିଁ। ଡାକ୍ତର ଆଇସିୟୁରେ ଭର୍ତ୍ତି କରି ତାଙ୍କର ଚିକିତ୍ସା ଚଲାଇଛନ୍ତି। ପୁଲିସ ଏହି ଘଟଣାରେ ସମ୍ପୃକ୍ତ ବାଉନସରଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ଶ୍ରୀଗଙ୍ଗନଗରର ରାମଲିଲା ପଡ଼ିଆରେ ବାଣିଜ୍ୟ ମେଳାର ଆୟୋଜନ କରାଯାଇଥିଲା। ଏହି ମେଳାରେ ଗୁଲସନ ବଧବା ଷ୍ଟଲ ପକାଇଥିଲେ। ଗୁଲସନ ଯେତେବେଳେ ଷ୍ଟଲ ଛାଡ଼ି ମେଳା ବୁଲିବା ଆରମ୍ଭ କରିଥିଲେ ସେଠାରେ ସୁରକ୍ଷାକର୍ମଚାରୀ ଭାବେ ଥିବା ବାଉନସର ତାଙ୍କୁ ଅଟକାଇ ପ୍ରବେଶ ଶୁଳ୍କ ୨୦ଟଙ୍କା ମାଗିଥିଲେ।
ଯାହାକୁ ଗୁଲସନ ଦେବାକୁ ମନା କରିଥିଲେ। ଏହି କାରଣରୁ ବାଉନସର ଓ ଗୁଲସନଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା। ଏଥିରେ ବାଉନସର ରାଗି ଯାଇ ଲୁହାରଡ଼ରେ ଗୁଲସନଙ୍କୁ ମାଡ଼ ମାରିବା ସହିତ ତାଙ୍କ ଆଖି ଓ ମୁହଁ ଫଟାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ଗୁଲସନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଯାଇଛି। ଡାକ୍ତର ତାଙ୍କର ଚିକିତ୍ସା ଜାରି ରଖିଥିବା ବେଳେ ଖବର ଲେଖାହେଲା ପର୍ଯ୍ୟନ୍ତ ଗୁଲସନଙ୍କ ଚେତା ଆସି ନଥିବା ଜଣାପଡ଼ିଛି।