ନୂଆଦିଲ୍ଲୀ: ବୟାନ ରେକର୍ଡ ବେଳେ ଦୁଷ୍କର୍ମ ପୀଡ଼ିତାଙ୍କୁ ପୋଷାକ କାଢ଼ି କ୍ଷତ ଦେଖାଇବାକୁ କହିଲେ ମାଜିଷ୍ଟ୍ରେଟ୍। ରୁଜୁ ହେଲା ଏତଲା।ମାର୍ଚ୍ଚ ୩୦ରେ ରାଜସ୍ଥାନରେ ଏହି ଘଟଣା ଘଟିଥିଲା। ଗଣଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତା ବୟାନ ରେକର୍ଡ କରିବାକୁ ମାଜିଷ୍ଟ୍ରେଟଙ୍କ ପାଖକୁ ଯାଇଥିଲେ। ଏହି ସମୟରେ ତାଙ୍କ ସହ ଏଭଳି ଘଟଣା ଘଟିଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି।
ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତଜଣକ ତାଙ୍କ ବିବୃତି ରେକର୍ଡ କରିବାକୁ ଆସିଥିଲେ। ପୂରା ଘଟଣା ବିଷୟରେ କହିସାରିବା ପରେ ସେ ତାଙ୍କୁ ଆଘାତ ଦେଖାଇବାକୁ କହିଥିଲେ। ଆଘାତ ଦେଖାଇବା ଅସମ୍ଭବ ବୋଲି ପୀଡ଼ିତା କହିବାରୁ ପୋଷାକ ଖୋଲି ଆଘାତ ଦେଖାଅ ବୋଲି କହିଥିଲେ ମାଜିଷ୍ଟ୍ରେଟ୍।
ପୀଡିତା ଏହାକୁ ବିରୋଧ କରି କହିଥିଲେ, ଏଭଳି ଜଣେ ମାଜିଷ୍ଟ୍ରେଟଙ୍କ ଆଗରେ ପୋଷାକ କାଢ଼ିବାକୁ ସେ ଅସହଜ ମନେ କରୁଛନ୍ତି। ମହିଳା ବିଚାରପତି ଉପସ୍ଥିତ ଥିଲେ ସେ ଏପରି କରିଥାନ୍ତେ ବୋଲି କହିଥିଲେ। ଏହା ଶୁଣି ବି ଅଭିଯୁକ୍ତ ବାଧ୍ୟ କରିବାରୁ ପୀଡ଼ିତା ତାଙ୍କ ବିରୋଧରେ ଏତଲା ରୁଜୁ କରିଥିବା କହିଛନ୍ତି।