ଚୌକିଦାରଙ୍କୁ ବନ୍ଧକ ରଖି ୧୦ଲକ୍ଷ ଟଙ୍କା ଭର୍ତ୍ତି ଥିବା ଏଟିଏମ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ

ଉଦୟପୁର: ରାଜସ୍ଥାନର ଉଦୟପୁର ଜିଲ୍ଲାର ଡବୋକ ପୁଲିସ ଷ୍ଟେସନ ଅଞ୍ଚଳରେ ଗତଶନିବାର କିଛି ଯୁବକ ହଠାତ ଆସି ଏଟିଏମ ମେସିନ ନିକଟରେ ପହଞ୍ଚିଥିଲେ। ଏହାପରେ ଏଟିଏମ ମେସିନକୁ ତାଡ଼ି ନେଇଯିବାର ଅଭିଯୋଗ ହୋଇଛି।

ତେବେ ଏଟିଏମ ମେସିନ ପାଖରେ ଜଗି ରହିଥିବା ଚୌକିଦାରଙ୍କୁ ଦୁର୍ବୃତ୍ତ ପ୍ରଥମେ ବନ୍ଧକ ରଖିଥିଲେ। ଚୌକିଦାର ପାଟିକଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଏହାପରେ ଚୌକିଦାରଙ୍କ ଆଖି ସାମ୍ନାରେ ୧୦ଲକ୍ଷ ଟଙ୍କା ଭର୍ତ୍ତି ଥିବା ଏଟିଏମ ମେସିନକୁ ତାଡ଼ି ଗାଡ଼ିରେ ରଖି ନେଇ ଯାଇଥିଲେ।

ପୁଲିସ ଅଧିକାରୀ ଚେଲ ସିଂ ରବିବାର କହିଛନ୍ତି ଯେ , ପାଞ୍ଚରୁ ସାତ ଜଣ ଦୁର୍ବୃତ୍ତ ଡବୋକରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ ନିକଟରେ ଆସି ପହଞ୍ଚିଥିଲେ। ମେସିନ ନିକଟରେ ଥିବା ଚୌକିଦାରଙ୍କୁ ମାଡ଼ ମାରିବା ସହିତ ତାଙ୍କୁ ବନ୍ଧକ ରଖିଥିଲେ। ଭୟରେ ଚୌକିଦାର ପାଟି ଖୋଲି ନଥି‌ଲେ। ଏହାପରେ  ଟଙ୍କା ଭର୍ତ୍ତି ଏଟିଏମକୁ ତାଡ଼ି ପିକଅପରେ ବାନ୍ଧି ଦୁର୍ବୃତ୍ତ ଘଟଣାସ୍ଥଳରୁ  ନେଇ ଚମ୍ପଟ ମାରିଥିଲେ।

ଏଟିଏମ ମେସିନ ନିକଟରେ ଥିବା ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ଦୁର୍ବୃତ୍ତଙ୍କୁ ଧରିବାକୁ ଚେଷ୍ଟା ଚଲାଇଛି।

ସମ୍ବନ୍ଧିତ ଖବର