ସହି ପାରିଲେନି ଅପମାନ ! ଗୋଟିଏ ପରିବାରର ୪ ଜଣ ଏକାଠି କଲେ ଆତ୍ମହତ୍ୟା

ଜୟପୁର: ରାଜସ୍ଥାନ ରାଜଧାନୀ ଜୟପୁର କନୌତା ଥାନା ଅନ୍ତର୍ଗତ ଯାମରୋଲି ରାଧିକା ବିହାରରେ ଗୋଟିଏ ପରିବାରର ୪ଜଣ ଏକାସଙ୍ଗେ ଫାଶୀ ଲଗାଇ ଆତ୍ମହତ୍ୟା କରିବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତକଙ୍କ ମଧ୍ୟରେ ପରିବାରର ମୁଖ୍ୟ ସଦାଶିବ ଦେଶାଇ(୪୫),ତାଙ୍କ ପତ୍ନୀ(୪୧), ଦୁଇ ପୁଅ(୨୩ ଓ ୨୦ ବର୍ଷୀୟ) ସାମିଲ ଅଛନ୍ତି ।

ପ୍ରାଥମିକ ଯାଞ୍ଚରୁ ଜଣାପଡିଛି ଯେ ପରିବାର ଅଲଓ୍ୱରରେ ରହୁଥିଲେ ଏବଂ ଗତ ୫ ବର୍ଷ ହେଲା ଜୟପୁରରେ ଗହଣା ତିଆରି କାମ କରୁଥିଲେ । ତେବେ ଟଙ୍କା .ନେଣଦେଣ ଓ ଋଣ ବୋଝ ଯୋଗୁଁ ପରିବାର ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପରିବାର ମୁଣ୍ଡରେ ଋଣ ବୋଝ ଥିଲା । ପ୍ରତିଦିନ ଲୋକେ ତାଙ୍କୁ ଋଣ ଟଙ୍କା ମାଗିବାକୁ ଯାଉଥିଲେ । ଫଳରେ ପରିବାର ସଦସ୍ୟ ଚିନ୍ତିତ ହୋଇପଡିଥିଲେ । ଗତକାଲି ଅପରାହ୍ନ ସମୟରେ ତାଙ୍କ ଘରକୁ ଜଣେ ମହିଳା ଯାଇଥିଲେ । ମହିଳା ତାଙ୍କୁ ବାକି ଟଙ୍କା ମାଗିଥିଲେ ଓ ତାଙ୍କୁ ନାନା ଅପମାନ କରିଥିଲେ ବୋଲି ଜଣାପଡିଛି ।

ଏହାପରେ ପରିବାରର ୪ ସଦସ୍ୟ ରାତିରେ ହିଁ ଫାଶୀ ଲଗାଇ ଆତ୍ମହତ୍ୟା କରି ଦେଇଥିଲେ । ଏମାନଙ୍କ ମଧ୍ୟରୁ ୩ଜଣ ହଲରେ ଓ ଜଣେ କୋଠରୀରେ ପଙ୍ଖାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଦୁଇଜଣଙ୍କ ଗୋଡ ବନ୍ଧା ହୋଇଥିଲା । ଏହି ଆତ୍ମହତ୍ୟା ବିଷୟରେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୁଲିସ ଟିମ ମାମଲାର ତଦନ୍ତ ଜାରି ରଖିଛି ।

ସମ୍ବନ୍ଧିତ ଖବର