ଭିଲୱାରା: ଦୁଷ୍କର୍ମ କରିବା ପରେ ହତ୍ୟା ଯୋଜନା କରୁଥିଲେ ଅଭିଯୁକ୍ତ। ଜୀବନ ବଞ୍ଚାଇବାକୁ ଉଲଗ୍ନ ହୋଇ ଦୌଡ଼ିଲେ ପୀଡ଼ିତା। ରାଜସ୍ଥାନର ଭିଲୱାରାରେ ଘଟିଛି ଏଭଳି ଘଟଣା। ଗତ କିଛି ମାସ ମଧ୍ୟରେ ରାଜସ୍ଥାନରେ ଏଭଳି ଅପରାଧ ବଢ଼ି ଚାଲିଥିବା ବେଳେ ପୁଣି ଥରେ ଏଭଳି ଘଟଣା ଘଟିବା ରାଜ୍ୟ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି। କୁହାଯାଉଛି ଯେ, ପୀଡ଼ିତାଙ୍କୁ ପ୍ରଥମେ ଅପହରଣ କରି ଗଣଦୁଷ୍କର୍ମ କରିଥିଲେ ଅଭିଯୁକ୍ତ। ଏହା ପରେ ପୀଡ଼ିତା ନିଜ ଜୀବନ ବଞ୍ଚାଇବା ପାଇଁ ଉଲଗ୍ନ ହୋଇ ଦୌଡ଼ିଥିଲେ। ରାସ୍ତାରେ ସେ ଲୋକଙ୍କୁ ସାହାଯ୍ୟ ମାଗିଥିଲେ ବି ପାଗଳ ବୋଲି ଭାବି ଲୋକେ ସାହାଯ୍ୟ କରିନଥିଲେ।

Advertisment

ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁଯାୟୀ ଶନିବାର ଦିନ ଭିଲୱାରା ଜିଲ୍ଲାର ଗଙ୍ଗପୁର ପୁଲିସ ଷ୍ଟେସନ ପରିସରରେ ଏହି ଘଟଣା ଘଟିଛି। ଗଙ୍ଗପୁରର ଡେପୁଟି ସୁପରିଟେଣ୍ଡେଣ୍ଟ୍ ଲଭୁ ରାମ ବିଷ୍ଣୋଇ କହିଛନ୍ତି ଯେ, ମଦ୍ୟପାନ କରିଥିବା ତିନିଜଣ ଅଭିଯୁକ୍ତ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ରାତ୍ରୀ ଭୋଜନ ପରେ ଚାଲିବାକୁ ବାହାରିଥିବା ମହିଳାଙ୍କୁ ଅପହରଣ କରିନେଇ ୩ଜଣ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ଜୀବନ ବଞ୍ଚାଇବାକୁ ଯାଇ ନିଜ ପୋଷାକ ଆଣିପାରିନଥିଲେ। ଉଲଗ୍ନ ହୋଇ ସେ ରାସ୍ତାରେ ଦୌଡ଼ିବା ସହ ଲୋକଙ୍କୁ ସାହାଯ୍ୟ ମାଗିଥିଲେ। କିଛି ଲୋକ ତାଙ୍କୁ ପାଗଳ ଭାବିଥିବା ବେଳେ ପରେ ଏକ ଗାଁର ଲୋକେ ମହିଳାଙ୍କୁ ପୋଷାକ ପିନ୍ଧିବାକୁ ଦେଇ ପୁଲିସକୁ ଖବର ଦେଇଥିଲେ। ପୀଡ଼ିତା ୩ଜଣକ ମଧ୍ୟରୁ ଜଣକୁ ଜାଣିଥିବା କହିଛନ୍ତି। ଏବେ ପୁଲିସ ୩ଜଣ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି।