ଋଣ ଶୁଝିବା ପାଇଁ ପ୍ରଥମେ ପତ୍ନୀଙ୍କ ନାଁରେ ୩୫ଲକ୍ଷର ବୀମା କରି ପରେ ହତ୍ୟା କଲା ସ୍ବାମୀ

ଭୋପାଳ: ଋଣ ଶୁଝିବା ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ। ପ୍ରଥମେ ସ୍ତ୍ରୀ ନାଁରେ ୩୫ଲକ୍ଷ ଟଙ୍କାର ବୀମା କରିବା ଏବଂ ପରେ ଋଣ ଶୁଝିବା ପାଇଁ ସ୍ବାମୀ ନିଜ ସ୍ତ୍ରୀକୁ ହତ୍ୟା କରିବାର ଷଡ଼ଯନ୍ତ୍ର କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମଧ୍ୟପ୍ରଦେଶର ରାଜଗଡରେ ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଆଶ୍ଚର୍ଯ୍ୟର କଥା ହେଲା, ପତ୍ନୀକୁ ହତ୍ୟା କରିବା ପୂର୍ବରୁ ସ୍ୱାମୀ ନିଜେ ପତ୍ନୀଙ୍କ ପାଇଁ ୩୫ ଲକ୍ଷ ଟଙ୍କାର ବୀମା କରିଥିଲେ।

ସୂଚନା ମୁତାବକ, ଜୁଲାଇ ୨୬ ତାରିଖ ରାତି ୯ଟାରେ ମୃତ ମହିଳା ପୂଜା ମୀଣା ନିଜ ସ୍ବାମୀ ବଦ୍ରିପ୍ରସାଦଙ୍କ ସହ ବାଇକରେ ବସି ଯାଉଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ବଦ୍ରିପ୍ରସାଦ ପୁଲିସ ପାଖକୁ ଯାଇ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ, ମୁଁ ୪ଜଣଙ୍କଠାରୁ ଋଣ ନେଇଥିଲି। ସେହି ୪ଜଣ ମୋ ଉପରେ ଆକ୍ରମଣ କରୁଥିବା ବେଳେ ମୋ ପତ୍ନୀ ସାମ୍ନାକୁ ଆସିଯାଇଥିଲେ। ବଦ୍ରିପ୍ରସାଦଙ୍କଠାରୁ ଏସବୁ ଶୁଣିବା ପରେ ପୁଲିସ ୪ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଜଣାପଡ଼ିଥିଲା ‌ଯେ, ହତ୍ୟାର କିଛି ଦିନ ପୂର୍ବରୁ ବଦ୍ରିପ୍ରସାଦ ପତ୍ନୀଙ୍କ ନାଁରେ ବୀମା କରିଥିବା ଜାଣି ପୁଲିସ ତଦନ୍ତର ଦିଗ ବଦଳାଇଥିଲା।

ଅଭିଯୋଗ ସମୟରେ ପତ୍ନୀଙ୍କୁ ସାମ୍ନାରୁ ଗୁଳି ମରାଯାଇଥିବା କହିଥିଲେ ବଦ୍ରି। ହେ‌ଲେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ପୂଜାଙ୍କୁ ପଛପଟୁ ଗୁଳି ମରାଯାଇଥିବା ସାମ୍ନାକୁ ଆସିବାରୁ ପୁଲିସର ସନ୍ଦେହ ଆହୁରି ବଢ଼ିଥିଲା। ଏହା ପରେ ପୁଲିସ ମାମଲା ରୁଜୁ କରିଥିବା ୪ଜଣଙ୍କ କଲ୍ ବିବରଣୀ ଯାଞ୍ଚ କରିବା ପରେ ଜଣାପଡ଼ିଥିଲା ଯେ, ଏମାନଙ୍କ ଭିତରୁ କେହି ବି ଘଟଣାସ୍ଥଳରେ ଉପସ୍ଥିତ ନଥିଲେ। ଏସୂଚନା ପାଇ ବଦ୍ରିର କଲ୍ ବିବରଣୀ ଯାଞ୍ଚ କରିବା ପରେ ପୁଲିସ ଜାଣିବାକୁ ପାଇଥିଲା ଯେ, ଗତ କିଛି ଦିନ ହେବ ବଦ୍ରି ଯେଉଁ ଗୋଟିଏ ନମ୍ବରକୁ ବାରମ୍ବାର କଲ୍ କରି କଥା ହେଉଥିଲା,ସେହି ନମ୍ବର ହିଁ ଘଟଣା ଦିନ ଘଟଣାସ୍ଥଳରେ ଉପସ୍ଥିତ ଥିଲା। ଏହା ପ‌ରେ ପୁଲିସ ବଦ୍ରିକୁ ଡାକି ପଚରାଉଚରା କରିବାରୁ ସେ ହିଁ ଋଣ ଟଙ୍କା ସୁଝିବାକୁ ପତ୍ନୀଙ୍କ ହତ୍ୟା କରାଇଥିବା ମାନିଥିଲା।

ହତ୍ୟା ପାଇଁ ସେ ସୁଟରଙ୍କୁ ଅଗ୍ରୀମ ୧ଲକ୍ଷ ଟଙ୍କା ଦେଇଥିବା ବେଳେ ପତ୍ନୀଙ୍କ ବୀମା ଟଙ୍କା ମିଳିଲେ ବାକି ୪ଲକ୍ଷ ଟଙ୍କା ଦେବାକୁ କହିଥିଲା ସ୍ବାମୀ।

ସମ୍ବନ୍ଧିତ ଖବର