ରଙ୍ଗମାଟିଆ ଲଣ୍ଡା ହତ୍ୟା ମାମଲା: ୭ ଅଭିଯୁକ୍ତ ଗିରଫ, ଜଣେ ଫେରାର

ଜମିଜମା ବିବାଦ ନୁହେଁ, ପ୍ରତିଶୋଧ ନେବାକୁ ହତ୍ୟା, ଖଣ୍ଡା, ଭୁଜାଲି ଓ ୨ଟି ବାଇକ ଜବତ

ଭୁବନେଶ୍ବର: ମଞ୍ଚେଶ୍ବର ଥାନା ଅଧୀନ ରଙ୍ଗମାଟିଆର ଦୀପକ ବେହେରା ଓରଫ ଲଣ୍ଡା ହତ୍ୟାକାଣ୍ଡର ପର୍ଦାଫାସ କରିଛି ପୁଲିସ। ଜମିଜମା ନୁହେଁ ବରଂ ପ୍ରତିଶୋଧ ନେବାକୁ ଯାଇ ଏଭଳି ଘଟଣା ଘଟିଥିଲା ବୋଲି ପୁଲିସ କହିଛି। ଆଜି ଏହି ହତ୍ୟାକାଣ୍ଡ‌‌ରେ ସଂପୃକ୍ତ ୭ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ସେମାନେ ହେଲେ, ସୌମ୍ୟରଂଜନ ପରିଡ଼ା ଓରଫ ପିକନ, ସୁରେଶ ଚନ୍ଦ୍ର ସାହୁ ଓରଫ ସୁର, ପ୍ରତାପ ପରିଡ଼ା ଓରଫ ଗାଣ୍ଡୁ, ପ୍ରଫୁଲ୍ଲ ପରିଡ଼ା, ପ୍ରମୋଦ ପରିଡ଼ା, ମଳୟ ରଂଜନ ତରାଇ ଓରଫ ଗୁଡୁ ଓ ମନୋଜ ବେହେରା। ପୁଲିସ ଏମାନଙ୍କ ନିକଟରୁ ଗୋଟିଏ ଖଣ୍ଡା, ଭୁଜାଲି, ଦୁଇଟି ବାଇକ( ମନୋଜ ଓ ଗୁଡୁର) ଜବତ କରିଛି। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଝାରପଡ଼ା ଜେଲ ପଠାଇ ଦିଆଯାଇଛି। ତେବେ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଅରକ୍ଷିତ ଚେମି ଓରଫ ଚାଇନା ଫେରାର୍‌ ଅଛି। ପୁଲିସ ତାକୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି। ଖୁବ୍‌ଶୀଘ୍ର ସେ ଗିରଫ ହେବ ବୋଲି ମଞ୍ଚେଶ୍ବର ଥାନା ଇନ୍ସ‌ପେକ୍ଟର ଯତୀନ୍ଦ୍ର ନାଥ ସେଠୀ ସୂଚନା ଦେଇଛନ୍ତି।

ଇନ୍ସପେକ୍ଟର ଶ୍ରୀ ସେଠୀଙ୍କଠାରୁ ମିଳିଥିବା ସୂଚନା ମୁତାବକ, ମୁଖ୍ୟ ଅଭିଯୁକ୍ତ ପିକନ ଓ ମୃତ ଲଣ୍ଡା ଦୁହେଁ ଭଲ ବନ୍ଧୁ ଥିଲେ। କିନ୍ତୁ କିଛି ମାସ ତଳେ କୌଣସି ଏକ କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇଥିଲା। ଏକ ଭୋଜି ଉତ୍ସବରେ ଦୁହିଁଙ୍କର ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଲଣ୍ଡା ଏକ ଧାରୁଆ ଅସ୍ତ୍ରରେ ପିକନକୁ ହାଣିଥିଲା। ପିକନ ସଙ୍କଟାପନ୍ନ ହୋଇ ପଡ଼ିଥିଲା। ପିକନଙ୍କ ସମ୍ପର୍କୀୟ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ସେମାନଙ୍କ କଥା ଶୁଣି ନ ଥିଲା। କିମ୍ବା ପୁଲିସ ଲଣ୍ଡାକୁ ଗିରଫ ମଧ୍ୟ କରି ନ ଥିଲା। ଗାଁ ଗଣ୍ଡଗୋଳ କହି କଥାକୁ ହାଲୁକା ଭାବେ ନେଇଥିଲା। ପୁଲିସ ନିଷ୍କ୍ରିୟତାରେ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲା ପିକନ। ଯୋଜନା କରିଥିଲା କି ଲଣ୍ଡାକୁ ହାଣିବ। ସେଥିପାଇଁ ପ୍ରଥମେ ସେ ଲଣ୍ଡାର ଶତ୍ରୁମାନଙ୍କୁ ଖୋଜିବା ଆରମ୍ଭ କରିଥିଲା। ସମସ୍ତେ ଯୋଜନା କରିଥିଲେ ଲଣ୍ଡାକୁ ହତ୍ୟା କରିବାକୁ। ଘଟଣା ଦିନ ଲଣ୍ଡା ରଙ୍ଗମାଟିଆ ଡିଏଚପିଏଲ ଛକରେ ଥିବା ଜଳଖିଆ ଦୋକାନ ବନ୍ଦ କରିବା ବେଳେ ପିକନ, ଚାଇନା ଓ ଗୁଡୁ ପହଞ୍ଚି ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ଲଣ୍ଡାର ଅବସ୍ଥା ସଙ୍କଟାପନ୍ନ ହୋଇ ପଡ଼ିଥିଲା। ରକ୍ତାକ୍ତ ଅବସ୍ଥାରେ ଲଣ୍ଡାକୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

‌ ଏ ନେଇ ଲଣ୍ଡାର ଭାଇ ସୂର୍ଯ୍ୟକାନ୍ତ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ସାଇଣ୍ଟିଫିକ ଟିମ ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ହତ୍ୟାକାଣ୍ଡ ଭିଆଇବା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। କିନ୍ତୁ ପୁଲିସ ସେମାନଙ୍କ ମୋବାଇଲ ଫୋନ ଟ୍ରାକିଂ କରିବା ଆରମ୍ଭ କରିଥିଲା। ଅଭିଯୁକ୍ତମାନେ କଟକ, ନଖରା, ଖୋର୍ଧା ଅଞ୍ଚଳରେ ନିଜ ବନ୍ଧୁବାନ୍ଧବଙ୍କ ଘରେ ଲୁଚିଥିଲେ। ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ସମସ୍ତ ୭ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଥିଲା। ପରେ ସେମାନେ ଲଣ୍ଡାକୁ ହତ୍ୟା କରିଥିବା ପୁଲିସ ଆଗରେ ମାନି ଯାଇଥିଲେ। ଆଜି ସମସ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର