୭ ଦିନ ଧରି ଛାତ୍ରୀଙ୍କୁ ଦୁଷ୍କର୍ମ: ଚାଲାଣ ଯୋଜନା ପଣ୍ଡ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଜଣେ କଲେଜ ପଢ଼ୁଆ ଯୁବତୀଙ୍କୁ ଅପହରଣ କରିବା ସହ ନିଶା ଦେଇ ସପ୍ତାହେ ହେଲା ଦୁଷ୍କର୍ମ କରିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ଅକ୍ଷୟ ଦାସ ଓରଫ ରାଜା ଓରଫ ଅଖି(୨୨)କୁ ଗିରଫ କରିଛି। ତା’ ଘର ଖୋର୍ଧା ଅଞ୍ଚଳରେ। ଅଖି ଉକ୍ତ ଯୁବତୀଙ୍କୁ ବାହାର ରାଜ୍ୟକୁ ଚାଲାଣ କରିବାକୁ ମଧ୍ୟ ଉଦ୍ୟମ ଚଳାଇଥିଲା ବୋଲି ପୁଲିସ୍‌ କହିଛି।

ପୁଲିସ ସୂଚନା ମୁତାବକ, ଗତ ୩୦ ତାରିଖ ଦିନ ପ୍ରାୟ ସାଢ଼େ ୨ଟା ବେଳେ ଛାତ୍ରୀଜଣଙ୍କ ବିଶ୍ବବିଦ୍ୟାଳୟରୁ ଘରକୁ ଫେରୁଥିଲେ। ଏହି ସମୟରେ ଅଖି ଓ ତା’ ସହଯୋଗୀ ଛାତ୍ରୀଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ଅପହରଣ କରିନେଇଥିଲେ। ସେମାନେ ଛାତ୍ରୀଙ୍କୁ ଏକ ଗାଡ଼ିରେ ପୁରୀ ନେଇଯାଇଥିଲେ। ଛାତ୍ରୀଜଣକ ବିରୋଧ କରିବା ସହ ଚିତ୍କାର କରିବାରୁ ସେମାନେ ତାଙ୍କୁ ନିଶା ଖୁଆଇ ଅଚେତ କରିଦେଇଥିଲେ। ଅପରପକ୍ଷେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଛାତ୍ରୀଜଣକ ଘରକୁ ନଫେରିବାରୁ ପରିବାର ଲୋକ ସହିଦନଗର ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ଘଟଣାର ୫ଦିନ ପରେ ଅର୍ଥାତ ବୁଧବାର ରାତିରେ ଛାତ୍ରୀଜଣକ ଖଣ୍ଡଗିରି ନିକଟସ୍ଥ ଏକ ବସ୍ତିରେ ଥିବା ପୁଲିସ ଜାଣିବାକୁ ପାଇଥିଲା। ପୁଲିସର ଏକ ଟିମ୍‌ ସେଠାରେ ଚଢ଼ଉ କରି ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା। ଉଦ୍ଧାର ପରେ ଛାତ୍ରୀଜଣଙ୍କ ବୟାନ ଦେଇଛନ୍ତି, ଏକ ନିଯୁକ୍ତି ମେଳାରେ ଅଖି ସହ ତାଙ୍କର ଦେଖା ହୋଇଥିଲା। ପରେ ତାଙ୍କୁ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ବିଭିନ୍ନ ସମୟରେ ଫୋନରେ କଥା ହୋଇଥିଲା। ଘଟଣା ଦିନ ଏକ କମ୍ପାନିରେ ସାକ୍ଷାତକାର ଦେବାକୁ କହି କାର୍‌ରେ ନେଇଥିଲା। ହେଲେ ସଂସ୍ଥାକୁ ନେବା ବଦଳରେ ସେ ତାଙ୍କୁ ଗଞ୍ଜାମ ନେଇଯାଇଥିଲା। ସେଠା‌‌ରେ ଏକ ହୋଟେଲରେ ରଖିବା ସହ ବନ୍ଧୁକ ଦେଖାଇ ଦୁଷ୍କର୍ମ କରିଥିଲା। ପରେ ତାଙ୍କୁ ପୁରୀ ନେଇଯାଇଥିଲା। ସେଠାରେ ମଧ୍ୟ ଅନୁରୂପ ଭାବେ ତାଙ୍କ ସହ ଦୁଷ୍କର୍ମ କରିଥିଲା। ପରେ ତାଙ୍କୁ ରାଜ୍ୟ ବାହାରକୁ ଚାଲାଣ ଲାଗି ଯୋଜନା କରାଯାଇଥିଲା।

ସମ୍ବନ୍ଧିତ ଖବର