ଜଙ୍ଗଲକୁ ଡାକି ନେଇ ରାତିସାରା ଯୁବତୀଙ୍କୁ ଗଣଦୁଷ୍କର୍ମ: ୩ ଗିରଫ

କୁଆରମୁଣ୍ଡା: ବୀରମିତ୍ରପୁର ଥାନା କୁଆରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଖୁକୁଣ୍ଡବାହାଲ ନିକଟସ୍ଥ ଜଙ୍ଗଲରେ ଲାଠିକଟା ଅଞ୍ଚଳର ଜଣେ ଯୁବତୀଙ୍କୁ ୩ ଜଣ ଯୁବକ ଗଣଦୁଷ୍କର୍ମ କରିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ ଆଜି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଲାଠିକଟା ବ୍ଲକ୍‌ ହାତୀଅଡ଼ା ଅଞ୍ଚଳର ଏହି ଯୁବତୀଙ୍କୁ ଡୁମେରଯୋର କର୍ଲାବୁଡ଼ ଗାଁର ୩ ଜଣ ଯୁବକ ବନ୍ଧୁଘରକୁ ବୁଲାଇ ନେବା ଆଳରେ ଗତ ୨୯ ତାରିଖ ସଂଧ୍ୟାରେ ଖୁକୁଣ୍ଡବାହାଲ ଜଙ୍ଗଲ ଭିତରକୁ ନେଇ ଯାଇଥିଲେ। ଆଉ ସେମାନେ ରାତିସାରା ଯୁବତୀଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରିବା ପରେ ଯୁବତୀଙ୍କୁ ଏକୁଟିଆ ସେହି ଜଙ୍ଗଲରେ ଛାଡ଼ି ଦେଇ ୩୦ ତାରିଖ ଭୋର୍ ଚାଲି ଯାଇଥିଲେ। ପୀଡ଼ିତା ବହୁ କଷ୍ଟରେ ନିଜ ଘରେ ପହଞ୍ଚି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ପରିବାର ଲୋକେ ବିଳମ୍ବିତ ରାତିରେ କୁଆରମୁଣ୍ଡା ଫାଣ୍ଡିରେ ପହଞ୍ଚି ଏ ନେଇ ଲିଖିତ ଅଭିଯୋଗ ଦାଖଲ କରିଥିଲେ। କୁଆରମୁଣ୍ଡା ଫାଣ୍ଡି ଅଧିକାରୀ ହୃଷୀକେଶ ବେହେରା କର୍ଲାବୁଡ଼ ଗାଁରେ ଚଢଉ କରି ଅଭିଯୁକ୍ତ ବିଜୟ ଓରାମ (୨୫), ରଂଜିତ ଟପ୍ପୋ (୨୬) ଓ ସଂଜିତ ଟପ୍ପୋ (୨୭)ଙ୍କୁ ଗିରଫ କରି ବୀରମିତ୍ରପୁର ଥାନାକୁ ଆଣିଥିଲେ। ରାଉରକେଲା ସରକାରୀ ହସ୍ପିଟାଲରେ ଆଜି ପୀଡ଼ିତାଙ୍କର ଡାକ୍ତରୀ ମାଇନା କରାଯାଇଛି।

ଉଲ୍ଲେଖନୀୟ ଯେ କିଛିଦିନ ପୂର୍ବେ ଏହି ଥାନା ଅନ୍ତର୍ଗତ ପୁଟୁରୀଖମଣ ଗ୍ରାମପଞ୍ଚାୟତର ହରପାଲି ଜଙ୍ଗଲରେ ଜଣେ ନାବାଳିକା ନାବାଳକମାନଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଅଭିଯୁକ୍ତ ନାବାଳକମାନେ ତାଙ୍କୁ ଜଙ୍ଗଲ ଭିତରକୁ ଟେକି ନେଇ ଦୁଷ୍କର୍ମ କରିଥିଲେ।

ସମ୍ବନ୍ଧିତ ଖବର