ମୁମ୍ବାଇ : ମୁମ୍ବାଇରେ ଜଣେ ଅଭିଯୁକ୍ତର ଅପରାଧ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯେଉଁ ଅପରାଧ ପାଇଁ ଅଭିଯୁକ୍ତକୁ ୫ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିଥିଲା; ଜେଲ୍ରୁ ବାହାରି ପୁଣି ଥରେ ସେ ସେଭଳି ଅପରାଧ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୨୦୧୩ରେ ଜଣେ ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଦୁଷ୍କର୍ମ କରିଥିବାରୁ ଅଭିଯୁକ୍ତକୁ ଗିରଫ କରାଯାଇ ଜେଲ୍ରେ ରଖାଯାଇଥିଲା । ଏବେ ଜାମିନ୍ ମିଳିବା ପରେ ଅଭିଯୁକ୍ତ ପୁଣି ଥରେ ସେହି ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଜଣା ପଡ଼ିଛି ।

ମୁମ୍ବାଇ ପୁଲିସର ସୂଚନା ମୁତାବକ, ଅଭିଯୁକ୍ତ ଓ ପୀଡ଼ିତା ମହିଳା ପଡ଼ୋଶୀ ଥିଲେ । ୨୦୧୨ରେ ପରସ୍ପରର ସଂପର୍କରେ ଆସିବା ସହ ୨୦୧୩ରେ ଦୁହେଁ ପ୍ରେମ ସଂପର୍କରେ ବାନ୍ଧି ହୋଇଥିଲେ । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା ପରେ ମଧ୍ୟ ପରବର୍ତ୍ତୀ ସମୟରେ ତାଙ୍କୁ ବିବାହ କରିବାକୁ ରାଜି ହୋଇ ନଥିଲା ଅଭିଯୁକ୍ତ । ଯାହା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ଜେଲ୍ରୁ ବାହାରିବା ପରେ ବିବାହ ପାଇଁ ପୁଣି ପ୍ରସ୍ତାବ ଦେଇଥିଲା ଅଭିଯୁକ୍ତ । କିନ୍ତୁ ଏଥର ପୀଡ଼ିତା ବିବାହ ପାଇଁ ମନା କରି ଦେଇଥିଲେ । ଅକ୍ଟୋବର ୨୫ରେ ଅଭିଯୁକ୍ତ ଛୁରୀ ଦେଖାଇ ପୀଡ଼ିତାଙ୍କୁ ଅପହରଣ କରିନେବା ସହ ତାଙ୍କୁ ନିଜ ଘରକୁ ନେଇ ଦୁଷ୍କର୍ମ କରିଥିଲା। ମାଡ଼ ମାରିବା ସହ ନିଜ ଘରେ ବନ୍ଦୀ କରି ରଖିଥିଲା । ହେଲେ, ଅଭିଯୁକ୍ତ ଶୌଚାଳୟ ଯାଇଥିବା ବେଳେ ପୀଡ଼ିତା ଖସି ଆସିବାରେ ସଫଳ ହେବା ସହ ତୁରନ୍ତ ପୁଲିସରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ୧୦ଦିନ ପର୍ଯ୍ୟନ୍ତ ଖୋଜା ଖୋଜି କରିବା ପରେ ଏବେ ପୁଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିବା ଜଣା ପଡ଼ିଛି ।