ସହକର୍ମୀଙ୍କୁ ଦୁଷ୍କର୍ମ ମାମଲା : ଜେଲ୍‌ ଗଲା ଜଗା ମହାନ୍ତି

ଖଣ୍ଡଗିରି : ସ୍ଥାନୀୟ ଘରୋଇ ହସ୍ପିଟାଲରେ ସଫେଇ କାମ କରୁଥିବା ମହିଳା ସହକର୍ମୀଙ୍କୁ ଦୁଷ୍କର୍ମ କରି ଥାନାରେ ଅଟକ ଥିବା ଅଭିଯୁକ୍ତ ଜଗନ୍ନାଥ ମହାନ୍ତି ଓରଫ ଜଗାକୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି। ଜାମିନ୍‌ ନାମଞ୍ଜୁର ହେବାରୁ ଜଗାକୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ସମସ୍ତ ମେଡିକାଲ ଯାଞ୍ଚ ପ୍ରକ୍ରିୟା ସାରିବା ପରେ ଖଣ୍ଡଗିରି ଥାନା ପୁଲିସ ଜଗାକୁ ଜେଲ୍‌ ହାଜତକୁ ପଠାଇ ଦେଇଛି। ଏଥିସହ ପୀଡ଼ିତାଙ୍କୁ ‌ନେଇ ପୁଲିସ୍‌ ଆଜି ଅଦାଲତଙ୍କ ସମ୍ମୁଖରେ ବୟାନ୍ ରେକର୍ଡ କରାଇଛି। ଗତ ୩ ତାରିଖ ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତ ଜଗା ଓ ପୀଡ଼ିତା ହସ୍ପିଟାଲ ଡିଉଟି ସାରି ଘରକୁ ଫେରୁଥିଲେ। ଦୁଇ ଜଣଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା ଓ ସେମାନେ ପୂର୍ବରୁ ଏକାଠି ସନ୍ଧ୍ୟାରେ ଘରକୁ ଫେରୁଥିଲେ। ମାତ୍ର ସେଦିନ ଜଗା ମନକୁ ପାପ ଛୁଇଁଥିଲା। ରାସ୍ତାରେ ଏକ ନିଛାଟିଆ ସ୍ଥାନ ଦେଖି ସେ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲା। ପୀଡ଼ିତା ଗୁରୁତର ଆହତ ହୋଇ ପଡ଼ିବାରୁ ଜଗା ତାଙ୍କୁ ନେଇ ଉକ୍ତ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲା। ପରେ ପୀଡ଼ିତାଙ୍କ ପରିବାର ଲୋକେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଜୋନ୍‌-୩ ଏସିପି ପ୍ରାଣବନ୍ଧୁ ରାଉତ ଏହି ମାମଲାର ତଦନ୍ତାଭର ନେଇ ସାଇଣ୍ଟିଫିକ୍‌ ଟିମ୍ ସହଯୋଗରେ ଛାନ୍‌ଭିନ୍ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର