ଅଙ୍ଗନବାଡ଼ି କର୍ମୀଙ୍କୁ ଗଣଦୁଷ୍କର୍ମ, ୩ ଗିରଫ

ପୀଡ଼ିତା ଦୁଇମାସର ଗର୍ଭବତୀ, ଜଙ୍ଗଲରେ ଲୁଚିଥିଲେ ଦୁଇ ଅଭିଯୁକ୍ତ

ଢେଙ୍କାନାଳ/ଗଁଦିଆ/ଯୋରନ୍ଦା: ଗଁଦିଆ ଥାନା କାଲୁରିଆ ଗାଁର ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ତିନିଜଣ ଦୁର୍ବୃତ୍ତ କାର୍‌ରେ ଉଠାଇ ନେଇ ଏକ ଫାର୍ମ ହାଉସ୍‌ରେ ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରି ତନଘନା ଚଳାଇଛି। କାଲୁରିଆ ଗାଁର ଏକ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ରୁପା (୨୮, ଛଦ୍ମନାମ) ୩ ମାସ ପୂର୍ବେ ବିବାହ କରିଛନ୍ତି। ସେ ଏବେ ୨ ମାସର ଗର୍ଭବତୀ ଅଛନ୍ତି। ଯୋରନ୍ଦାରେ ଗତକାଲି ଅନୁଷ୍ଠିତ ଅଙ୍ଗନବାଡ଼ି କର୍ମୀଙ୍କ ସେକ୍ଟର ବୈଠକରେ ରୁପା ଯୋଗ ଦେଇ ଅପରାହ୍‌ଣ ପ୍ରାୟ ୫ଟାବେଳେ ଏକ ସ୍କୁଟିରେ ତାଙ୍କ ଭାଇଙ୍କ ସହ କାଲୁରିଆସ୍ଥିତ ନିଜ ଘରକୁ ଫେରୁଥିଲେ। ଯୋରନ୍ଦା-କାଲୁରିଆ ରାସ୍ତାର ଖରିଆଗୋଠିଠାରେ ପୂର୍ବରୁ ଏକ ଇଣ୍ଡିଗୋ କାର୍‌ (ଓଆର୍‌୦୨ଏକ୍ୟୁ-୭୯୧୫)ରେ ଛକି ରହିଥିବା ୩ ଜଣ ଦୁର୍ବୃତ୍ତ ଉଭୟଙ୍କୁ ଅଟକାଇ ରୁପାଙ୍କ ଭାଇଙ୍କୁ ନିସ୍ତୁକ ମାଡ଼ ମାରିବା ସହ ତାଙ୍କଠାରୁ ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେଇଥିଲେ। ପରେ ରୁପାଙ୍କୁ କାର୍‌ରେ ବସାଇ ସଦର ବ୍ଲକ୍‌ ଗହମଖୁଣ୍ଟିସ୍ଥିତ ଏକ ଫାର୍ମ ହାଉସ୍‌କୁ ନେଇଯାଇଥିଲେ। ସେଠାରେ ଦୁର୍ବୃତ୍ତମାନେ ରୁପାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କୁ ନୂଆ କାଲୁରିଆ ଛକରେ ଛାଡ଼ି ପଳାଇଥିଲେ। ଏହି ଘଟଣାରେ ପୁଲିସ ଆତିଣ୍ଡାରେ ଚଢ଼ଉ କରି ଅଭିଯୁକ୍ତ ଗୋବିନ୍ଦ ପ୍ରଧାନ (୩୨)ଙ୍କୁ ତାଙ୍କ ଘରୁ ଗିରଫ କରିଛନ୍ତି। ଜଙ୍ଗଲରେ ଲୁଚିଥିବା ଅନ୍ୟ ଅଭିଯୁକ୍ତ ଅନ୍ତରା ଦାସ (୩୦) ଓ ଯୋରନ୍ଦା ଗ୍ରାମର ଲକ୍ଷ୍ମୀଧର ବିଶ୍ୱାଳ(୩୮) ଓରଫ ପାପୁନ୍‌ଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର