ଧାରଣାରତ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମ୍‌ଜିରେ ରବିବାର ରାତି ଧାରଣାରତ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ଅଭିଯୁକ୍ତ କାଳୁ ନାୟକ ଗିରଫ ହୋଇଥିବା ପୁଲିସ କହିଛି। ଅଭିଯୋଗ ଅନୁସାରେ ଧାରଣାରତ ଯୁବତୀ ଟେଣ୍ଟ ଭିତରେ ଥିଲେ। ରାତିର ସୁଯୋଗ ନେଇ କାଳୁ ଟେଣ୍ଟ ଭିତରେ ପଶିଥିଲା। ଏହି ସମୟରେ ଟେଣ୍ଟରେ ୨ ଭଉଣୀ ଥିଲେ। ସେଥିରୁ ଜଣେ କୌଶଳ କ୍ରମେ ଖସି ଯାଇ ପୁଲିସ ନିକଟରେ ପହଞ୍ଚି ଥିଲେ।

ରିପୋର୍ଟ ଅନୁସାରେ କିଛି ଦାବିକୁ ନେଇ ୨ ଭଉଣୀ କୋରାପୁଟ ଜିଲ୍ଲାର ଲମତାପୁଟ ଅଞ୍ଚଳରୁ ଆସିଥିଲେ। ସେମାନେ ଲୋୟର ପିଏମ୍‌ଜିରେ କିଛି ଦିନ ହେବ ଧାରଣାରେ ବସିଥିଲେ। ଧାରଣାରତ ଯୁବତୀ ଦ୍ୱୟ ଟେଣ୍ଟ ଭିତରେ ଥିବା ଜାଣି ଅଭିଯୁକ୍ତ ରବିବାର ରାତି ସେଠାକୁ ପ୍ରବେଶ କରିଥିଲା। କାଳୁ ଉଭୟ ଯୁବତୀଙ୍କୁ ଅସଦାଚରଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ଦୁଇ ଜଣଙ୍କ ମଧ୍ୟରୁ ଜଣେ ଟେଣ୍ଟ ଭିତରୁ ଖସି ଯାଇ ମହାତ୍ମା ଗାନ୍ଧୀମାର୍ଗରେ ମୁତୟନ ଥିବା ପୁଲିସକୁ ସବୁକଥା କହିଥିଲେ। ଏହା ପରେ ପୁଲିସ ଅଳ୍ପ ସମୟ ମଧ୍ୟରେ ଅଭିଯୁକ୍ତ କାଲୁ ନାୟକକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର