ନୂଆଦିଲ୍ଲୀ: ଇନ୍ଦୋରର ସୋସିଆଲ ମିଡିଆ ଇନଫ୍ଲୁଏନସର ‘ଓଏ ଇନ୍ଦୌର’ ନାମରେ ଚର୍ଚ୍ଚାରେ ଥିବା ରୋବିନ ଜିନ୍ଦଲଙ୍କ ବିରୋଧରେ ଜଣେ ଛାଡ଼ପତ୍ର ପାଇଥିବା ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ କଣ୍ଟେଟ ତିଆରି କରୁଥିବା ରୋବିନଙ୍କ ବିରୋଧରେ ଇନ୍ଦୋର ଏମଆଇଜି ଥାନାରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ରୋବିନଙ୍କ ଇନଷ୍ଟାଗ୍ରାମ, ଫେସବୁକ ଓ ୟୁଟ୍ୟୁବରେ ଲକ୍ଷାଧିକ ଅନୁଗାମୀ ରହିଛନ୍ତି।
ଇନ୍ଦୋରରେ ରହୁଥିବା ମହିଳା ଅଭିଯୋଗ କରି କହିଛନ୍ତି କି, ବିବାହର ଆଶା ଦେଇ ରୋବିନ ମୋ ସହିତ ଅନେକ ଦିନ ହେବ ସମ୍ପର୍କରେ ରହିବା ସହିତ ଶାରୀରିକ ସମ୍ପର୍କ ରଖିଥିଲେ। କିନ୍ତୁ ମୁଁ ନିକଟରେ ତାଙ୍କୁ ବିବାହ ପାଇଁ କହିବାରୁ ସେ ଏ ପ୍ରସ୍ତାବକୁ ଏଡ଼ାଇ ଦେବା ସହିତ ଫୋନ ସୁଇଜ ଅଫ କରି ଦେଇଥିଲେ। ମୋ ସ୍ବାମୀ ମୋତେ ଛାଡ଼ପତ୍ର ଦେଇ ଦେଇଛନ୍ତି। ମୁଁ ରୋବିନଙ୍କୁ ଖୁବ ଭଲପାଏ। ତାଙ୍କୁ ବିବାହ କରିବାକୁ ଅନେକ ସ୍ବପ୍ନ ଦେଖିଥିଲି। କିନ୍ତୁ ସେ ମୋର ସବୁ ସପ୍ନକୁ ଭାଙ୍ଗି ଦେଇଛନ୍ତି।’
ଏହି ଘଟଣାକୁ ନେଇ ଏମଆଇଜି ଥାନାରେ ନିୟୋଜିତ ଥିବା ସଚିନ ଆର୍ଯ କହିଛନ୍ତି, ‘ରୋବିନ ଜିନ୍ଦଲଙ୍କ ନାମରେ ଯୁବତୀ ମାର୍ଚ୍ଚ ୧୬ ତାରିଖରେ ଏକ ମାମଲା ରୁଜୁ କରିଥିଲେ। ଏନେଇ ରୋବିନଙ୍କୁ ନିଜ ପକ୍ଷ ରଖିବାକୁ କୁହାଯାଇଥିଲା। କିନ୍ତୁ ରୋବିନ ନା ଥାନାକୁ ଆସିଥିଲେ ନା ଯୁବତୀଙ୍କ ଅଭିଯୋଗର କୌଣସି ପ୍ରତିକ୍ରିୟା ଦେଇଥିଲେ। ଏହି ମାମଲାକୁ ଅନେକ ଦିନ ବିତିଯିବା ପରେ ଯୁବତୀ ପୁଣି ରୋବିନଙ୍କ ନାମରେ ମାମଲା ରୁଜୁ କରିଛନ୍ତି।’