ମୁମ୍ବାଇ: ମୁମ୍ବାଇରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏକ ବେସରକାରୀ ଚଳନ୍ତା ବସ୍ ମଧ୍ୟରେ ୧୭ ବର୍ଷୀୟା ଜଣେ ପରିବା ବିକାଳୀ ନାବାଳିକାଙ୍କୁ ୨୪ ବର୍ଷିଅ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସରକାରୀ ରେଳବାଇ ପୁଲିସ୍ ଏ ନେଇ ଏକ ଦୁଷ୍କର୍ମ ମାମଲା ରୁଜୁ କରିଛି। ମାତ୍ର ଏହି ଦୁଷ୍କର୍ମ କେଉଁ ବେସରକାରୀ ବସ୍ରେ ଘଟିଛି ତାହା ଜାଣିବା ଏବେ ମୁସ୍କିଲ୍ ହୋଇପଡ଼ିଛି।
ରିପୋର୍ଟ ମୁତାବକ୍, ୧୭ ବର୍ଷୀୟା ପୀଡ଼ିତା ନାବାଳିକା ତାଙ୍କ ଘର ଗୁଜୁରାଟ ଯିବା ପାଇଁ ଏକ ବେସରକାରୀ ବସ୍ରେ ଚଢ଼ିଥିଲେ। ସେହି ଚଳନ୍ତା ବସ୍ ମଧ୍ୟରେ ସେ ଜଣେ ୨୪ ବର୍ଷିଅ ଯୁବକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି। ଜାଣିବାକୁ ମିଳିଛି ଯେ ନାବାଳିକା ଜଣକ ପ୍ରଥମେ ଅଭିଯୁକ୍ତଙ୍କୁ ମୁଲୁଣ୍ଡ ରେଳବାଇ ଷ୍ଟେସନ୍ରେ ଭେଟିଥିଲେ। ସେ ଦୁହେଁ ପରସ୍ପର ସହ କଥା ହୋଇଥିଲେ। ଯୁବକ ଜଣକ ମିଛରେ ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇବା ସହ ତାଙ୍କ ଘର ଗୁଜୁରାଟ ପର୍ଯ୍ୟନ୍ତ ତାଙ୍କ ସହ ଯିବେ ବୋଲି କହିଥିଲେ।
ଘୋଦବୋନ୍ଦର ରୋଡ୍ରୁ ସେ ଦୁହେଁ ଏକ ସ୍ଲିପର୍ କୋଚ୍ ବସ୍ରେ ଚଢ଼ି ଥିଲେ। ସେହି ବସ୍ ମଧ୍ୟରେ ଅଭିଯୁକ୍ତ ଯୁବତୀଙ୍କ ସହ ଦୁଷ୍କର୍ମ କରିବା ସହ ପୁଣି ଫେରି ଯାଇଥିଲେ। ଅନ୍ୟପକ୍ଷରେ ସେହି ଦିନ ଅର୍ଥାତ ଫ୍ରେବୁଆରି ୧୭ ତାରିଖରେ ପୀଡ଼ିତାଙ୍କ ପରିବାର ଲୋକେ ପୁଲିସ୍ରେ ଏକ ଅପହରଣ ମାମଲା ରୁଜୁ କରିଥିଳେ। ମାତ୍ର ନାବାଳିକା ଜଣକ ଫେରିବା ପରେ ସେ ତାଙ୍କ ମାଆଙ୍କୁ ସବୁ କଥା କହିଥିଲେ। ତା’ପରେ ସରକାରୀ ରେଳବାଇ ପୁଲିସ୍ରେ ପୀଡ଼ିତା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ପୁଲିସ୍ ତଦନ୍ତ ଚଳାଇ ଅଭିଯୁକ୍ତକୁ ଫେବ୍ରୁଆରି ୨୨ ତାରିଖରେ ଧରି ଗିରଫ କରିଛି।