ନୂଆଦିଲ୍ଲୀ: ‘ଓଟିଟି’ ସିରିଜ୍‌ ‘ଫର୍ଜି’ଦ୍ବାରା ପ୍ରଭାବିତ ହୋଇ ତୁରନ୍ତ ଧନ ଉପାର୍ଜନ କରିବା ଆଶାରେ ଅତି ଉନ୍ନତ ଧରଣର ଜାଲ୍‌ ନୋଟ୍‌ ଛାପୁଥିବା ଜଣେ ଯୁବ ଚିତ୍ରଶିଳ୍ପୀଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।

Advertisment

ସଂଗୃହୀତ ସୂଚନା ଅନୁସାରେ, ଅଭିଯୁକ୍ତ ୨୫ ବର୍ଷିୟ ଚିତ୍ରଶିଳ୍ପୀ ଶକୁର ମହମ୍ମଦ ପଥପାର୍ଶ୍ବରେ ଚିତ୍ରାଙ୍କନ କରି ଅର୍ଥ ଉପାର୍ଜନ କରୁଥିଲେ। କିନ୍ତୁ, ଏଥିରେ ତାଙ୍କର ବିଶେଷ ରୋଜଗାର ହେଉ ନ ଥିଲା। ତେଣୁ, ସେ ଆଉ ୪ଜଣ ସହଯୋଗୀଙ୍କୁ ଏକତ୍ର କରି ରାଜସ୍ଥାନର ଆଜ୍‌ମେର୍‌ରେ ଜାଲ୍‌ ‌ଟଙ୍କା ଛାପାଖାନା ଆରମ୍ଭ କଲେ।

ଶକୁର ଓ ତାଙ୍କର ଜଣେ ସହଯୋଗୀ ରଙ୍ଗ ଓ ରାସାୟନିକ ପଦାର୍ଥ ମିଶ୍ରଣ କରି ଟଙ୍କା ଛାପୁଥିଲେ। ଆଉ ଜଣେ ସହଯୋଗୀଙ୍କୁ ଛାପା ଟଙ୍କା କାଟିବା ଦାୟିତ୍ବ ଦିଆଯାଇଥିଲା। ଅନ୍ୟମାନେ ସେ ‘ଫେକ୍‌ ଇଣ୍ଡିଆନ୍‌ କରେନ୍‌ସି ନୋଟ୍‌’ ବା ଜାଲ୍‌ ନୋଟ୍‌କୁ ବିଭିନ୍ନ ଆଡ଼କୁ ପଠାଉଥିଲେ।

ସୂଚନା ପାଇ ଦିଲ୍ଲୀ ପୁଲିସର କ୍ରାଇମ୍‌ ବ୍ରାଞ୍ଚ୍‌ ରାଜଧାନୀରେ ଏହି ଜାଲ୍‌ ନୋଟ୍ ଉଦ୍ଧାର କରି ଶକୁର ଗ୍ୟାଙ୍ଗ୍‌ ଏଥିରେ ଲିପ୍ତଥିବା କଥା ଜାଣିଲା। କେବଳ ସେତିକି ନୁହେଁ ୧୯.୮୪ ଲକ୍ଷ ଟଙ୍କାର ୫୦୦ ଟଙ୍କିଆ ନୋଟ୍‌ ଦିଲ୍ଲୀକୁ ଆସିଥିବା କଥା ବି ପୁଲିସ ଜାଣିଲା।

publive-image Image Courtesy of Times of India

ଆହୁରି କିଛି ଜାଲ୍‌ ଟଙ୍କା ଯୋଗାଣ ପାଇଁ ସେମାନେ ଦିଲ୍ଲୀର ଅକ୍ଷରଧାନ ମନ୍ଦିରକୁ ଆସିବେ ବୋଲି ବିଶ୍ବସ୍ତସୂତ୍ରରୁ ପୁଲିସକୁ ସୂଚନା ମିଳିଲା। ତା’ପରେ କୌଶଳ କରି ପୁଲିସ ସେମାନଙ୍କୁ ଧରି ସେମାନଙ୍କ ଟଙ୍କା ଛାପା କାରଖାନାରେ ଚଢ଼ଉ କଲା। ଛାପାଖାନାରୁ ପୁଲିସ ଜାଲ୍‌ ନୋଟ୍‌, ପ୍ରିଣ୍ଟର୍‌, କମ୍ପ୍ୟୁଟର୍‌, ଲାପ୍‌ଟପ୍‌, କଟା ନ ହୋଇଥିବା ଟଙ୍କା, ୧୯ଟି କାଳି ବୋତଲ ଉଦ୍ଧାର କରିଥିବା କଥା ସ୍ପେସାଲ୍‌ ପୋଲିସ କମିସନର୍‌ (ଅପରାଧ) ରବୀନ୍ଦ୍ର ଯାଦବ କହିଛନ୍ତି।

ସେମାନଙ୍କ ପାଖରୁ ପୁଲିସ ରିଜର୍ଭ ବ୍ୟାଙ୍କ୍‌ର ‘ଗ୍ରିନ୍‌ ଥ୍ରେଡ୍‌ ଲାଇନ୍‌ ରୋଲ୍‌’ ବି ଜବତ କରିଛନ୍ତି। ତାହାକୁ ସେମାନେ ‘ଇଣ୍ଡିଆ ମାର୍ଟ’ ୱେବ୍‌ସାଇଟ୍‌ରୁ ବରାଦ ଦେଇ ମଗାଇ ଥିବା କଥା କହିଛନ୍ତି।

ଶକୁରଙ୍କ ସହଯୋଗୀ ୨୮ ବର୍ଷିୟ ଲୋକେଶ, ୨୭ ବର୍ଷିୟ ହିମାଂଶୁ, ୩୦ ବର୍ଷିୟ ଶିବଲାଲ୍‌ ଓ ୨୨ ବର୍ଷିୟ ସଞ୍ଜୟ ଗୋଦାରାଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।