ରିଅଲ ଇଷ୍ଟେଟ୍‌ ଠକେଇ : ଜଣକୁ ବାନ୍ଧିଲା ଇଓଡବ୍ଲୁ

ଭୁବନେଶ୍ୱର : ରିଅଲ ଇଷ୍ଟେଟ୍‌ ଠକେଇ ମାମଲାରେ ରିଅଲ ଭାଲ୍ୟୁ ଡେଭଲପର୍ସ ଆଣ୍ଡ ବିଲ୍ଡର୍ସ ପ୍ରା. ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ପୁରୀ ବଳଗଣ୍ଡିର ରାମଚନ୍ଦ୍ର ପାତ୍ରଙ୍କୁ ଆଜି କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ଗିରଫ କରିଛି। ତାଙ୍କୁ କଟକ ଓପିଆଇଡି କୋର୍ଟଚାଲାଣ କରାଯାଇଛି। ଜାମିନ୍‌ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଭୁବନେଶ୍ବରର ଦେବଦତ୍ତ ରାଉତରାୟଙ୍କ ଅଭିଯୋଗକ୍ରମେ ହୋଇଥିବା ମାମଲାର ତଦନ୍ତ କରି ଇଓଡବ୍ଲୁ ତାଙ୍କୁ ଗିରଫ କରିଥିବା ସୂଚନା ଦେଇଛି।

ସୂଚନା ମୁତାବକ, ୨୦୧୪ରେ ଶ୍ରେୟା ଇନ୍‌ଫ୍ରାଷ୍ଟ୍ରକ୍‌ଚର ସର୍ଭିସେସ୍‌ ଲିମିଟେଡ୍‌ର ପରିଚାଳନା ନି‌ର୍ଦ୍ଦେଶକ ହିମାଂଶୁ ଶେଖର ନାୟକ ଶହେ ଜଣଙ୍କଠାରୁ ୫କୋଟି ଟଙ୍କା ଆଦାୟ କରିଥିଲେ। ଏଥିପାଇଁ ପୁରୀ ସିପସରୁବାଲି ଅଞ୍ଚଳରେ ଆପାର୍ଟମେଣ୍ଟ ଯୋଗାଇ ଦେବା ପାଇଁ ସେ ଚୁକ୍ତି କରିଥିଲେ। ଏହି ପ୍ରକଳ୍ପର ନାମ ଶ୍ରୀକ୍ଷେତ୍ର କଳିଙ୍ଗ କୁଟୀର ରହିଥିବା ବେଳେ ପ୍ରତି ୟୁନିଟ୍‌ର ମୂଲ୍ୟ ୯ଲକ୍ଷ ୫୦ ହଜାର ରହିଥିଲା। ୩ ବର୍ଷ ମଧ୍ୟରେ ଏହି ଫ୍ଲାଟ୍‌ ଯୋଗାଇଦେବା ପାଇଁ ଚୁକ୍ତି ରହିଥିଲା। କିନ୍ତୁ ୫ବର୍ଷ ବିତିଥିଲେ ମଧ୍ୟ ସଂସ୍ଥା ପ୍ଲଟ୍‌ ଯୋଗାଇ ପାରି ନଥିଲା। ଏଣେ ଭୁବନେଶ୍ବରରୁ ଅଫିସ ବନ୍ଦ କରି ହିମାଂଶୁ ଫେରାର ହୋଇ ଯାଇଥିଲେ। ୨୦୧୩ରେ ହିମାଂଶୁକୁ ଏକ ପାୱାର ଅଫ୍ ଆଟର୍ଣ୍ଣି ବଳରେ ଅଭିଯୁକ୍ତ ରାମଚନ୍ଦ୍ର ପାତ୍ର ଜମି ଯୋଗାଇଥିଲେ। ଏଥିପାଇଁ ଫ୍ଲାଟ୍‌ରେ ୩୫ ପ୍ରତିଶତ ଭାଗୀଦାରି ରହିଥିଲା। ଅଭିଯୁକ୍ତ ହିମାଂଶୁଠାରୁ ମୋଟା ଅଙ୍କରେ ଅର୍ଥ ନେବା ପରେ ରାମଚନ୍ଦ୍ର ପାୱାର ଅଫ୍ ଆଟର୍ଣ୍ଣି ବାତିଲ କରିଦେଇ ଫେରାର୍‌ ହୋଇ ଯାଇଥିଲା। ଜାନୁଆରି ୩ ତାରିଖରେ ହିମାଂଶୁ ଗିରଫ ହୋଇଥିବା ବେଳେ ରାରମଚନ୍ଦ୍ର ଆଜି ଗିରଫ ହୋଇଛି।

ସମ୍ବନ୍ଧିତ ଖବର