ଗାଜିଆବାଦ: ଘରୁ ଗହଣା ଚୋରାଇ ନେଇଥିବା ସନ୍ଦେହ କରି ଉତ୍ତର ପ୍ରଦେଶର ଗାଜିଆବାଦରେ ଜଣେ ୨୩ ବର୍ଷିୟ ଯୁବତୀଙ୍କୁ ତାଙ୍କର ଆତ୍ମୀୟସ୍ବଜନମାନେ ନିର୍ଯାତନା ଦେଇ ମାରିପକାଇଥିବା କଥା ପୁଲିସ କହିଛି।
‘ଚୋରି’ କରିଛି ବୋଲି ମନାଇବା ପାଇଁ ସେମାନେ ଗୋଟାଏ ବ୍ଲେଡ୍ ଓ ଲୁହାଛଡ଼ରେ ଯୁବତୀଙ୍କୁ ଆକ୍ରମଣ କରିଥିଲେ। ସେତେବେଳେ ସହାୟତା ପାଇଁ ଯୁବତୀଙ୍କ ଚିତ୍କାର ବାହାରକୁ ନ ଶୁଭିବା ପାଇଁ ସେମାନେ ଖୁବ୍ ଜୋର୍ରେ ମ୍ୟୁଜିକ୍ ବଜାଇଥିଲେ।
ନିର୍ଯାତନା ସହି ନ ପାରି ଯୁବତୀଙ୍କର ମୃତ୍ୟୁ ହେବାରୁ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଖସି ପଳାଇଥିଲେ। କିନ୍ତୁ, ‘ମ୍ୟୁଜିକ୍’ ସେମତି ବାଜୁଥିଲା। ଦୁଇଦିନ ହେବ ଘରେ ଏଡ଼େ ଜୋର୍ରେ ନିରବଚ୍ଛିନ୍ନ ଭାବେ ‘ମ୍ୟୁଜିକ୍’ ବାଜୁଥିବା ଶୁଣି ସନ୍ଦେହୀ ପଡ଼ୋଶୀମାନେ ପୁଲିସକୁ ଖବର ଦେଲେ।
ପ୍ରାପ୍ତ ସୂଚନା ଅନୁସାରେ, ଆତ୍ମୀୟ ହୀନା ଓ ରମେଶଙ୍କ ପୁଅର ଜନ୍ମଦିନ ପାର୍ଟିରେ ଯୋଗ ଦେବା ପାଇଁ ସୋମବାର ଦିନ ୨୩ ବର୍ଷୀୟ ଯୁବତୀ ସମିନା ଗାଜିଆବାଦର ସିଦ୍ଧାର୍ଥ ବିହାର ଯାଇଥିଲେ। ସେ ସମୟରେ ହୀନା ଓ ରମେଶଙ୍କର ୫ ଲକ୍ଷ ଟଙ୍କା ମୂଲ୍ୟର ଗହଣା ଘରେ ନ ଥିବା କଥା ଜଣାପଡ଼ିବାରୁ ସମିନା ସେସବୁ ଚୋରି କରିଛି ବୋଲି ସେମାନଙ୍କର ସନ୍ଦେହ ହେଲା।
ପୁଲିସ କହିବା ଅନୁସାରେ, ହୀନା, ରମେଶ ଓ ଅନ୍ୟମାନେ ବାଡ଼ି ଓ ଲୁହାଛଡ଼ରେ ସମିନାଙ୍କୁ ଆକ୍ରମଣ କଲେ। ସେ ନ ମାନିବାରୁ ଗୋଟାଏ ବ୍ଲେଡ୍ରେ ତା’ ଦେହ କାଟି ପକାଇଲେ। ଏବଂ ତା’ର ଚିତ୍କାର ବାହାରକୁ ନ ଶୁଭିବା ପାଇଁ ସେମାନେ ଜୋର୍ରେ ମ୍ୟୁଜିକ୍ ବଜାଇଲେ। ଅକଥନୀୟ ନିର୍ଯାତନା ସହି ନ ପାରି ସମିନା ମରିଯିବାରୁ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରା ହୋଇଗଲେ। କିନ୍ତୁ, ମ୍ୟୁଜିକ୍ ସେମିତି ବାଜୁଥିଲା।
ସହକାରୀ ପୁଲିସ କମିସନର୍ ରବି କୁମାର କହିଛନ୍ତି, ଅଭିଯୁକ୍ତଙ୍କୁ ଧରିବା ଲାଗି ତଲାସ ଚାଲିବା ସହିତ ଘଟଣାର ତଦନ୍ତ ଚାଲିଛି।