ଭୁବନେଶ୍ବର : ଚିଟ୍ଫଣ୍ଡ ମାମଲା ଶୁଣାଣିରେ ଉପସ୍ଥିତ ନ ରହିବାରୁ ଜଣେ ନିର୍ଦ୍ଦେଶକଙ୍କୁ ଗିରଫ କରିଛି ସିବିଆଇ। ସେ ହେଲେ ଜଗତସିଂହପୁର ବାଲିକୁଦା ଅଞ୍ଚଳର ରାଜକିଶୋର ନାୟକ।
ବୁଧବାର ଦିନ ସିବିଆଇର ଏକ ଟିମ୍ ଜଗତସିଂହପୁର ବାଲିକୁଦା ଅଞ୍ଚଳରୁ ରାଜକିଶୋରଙ୍କୁ ଉଠାଇ ଆଣିଥିଲା। ଏହା ପରେ ଭୁବନେଶ୍ବର ଏସିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ଆସନ୍ତା ୨୩ ତାରିଖ ଜାମିନ ଶୁଣାଣି ପାଇଁ ରଖା ଯାଇଥିବା ବେଳେ ରାଜକିଶୋରଙ୍କୁ ଜେଲ୍ ପଠାଇ ଦିଆଯାଇଛି।
ମିଳିଥିବା ସୂଚନା ଅନୁସାରେ, ରିଲାଏ ଫାଉଣ୍ଡେସନ୍ ଚିଟ୍ଫଣ୍ଡ ସଂସ୍ଥା ବିରୋଧରେ ସିବିଆଇ ମାମଲା ରୁଜୁ କରିବା ପରେ ରାଜ୍ୟବ୍ୟାପୀ ଚଢ଼ଉ କରିଥିଲା। ଭୁବନେଶ୍ବର, ପୁରୀ, ଖୋର୍ଦ୍ଧା, ବାଣପୁର, ଜଗତସିଂହପୁରରେ ସଂସ୍ଥାର ଅଫିସ, ନିର୍ଦ୍ଦେଶକ ଓ କର୍ମଚାରୀଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା ତଦନ୍ତକାରୀ ଟିମ୍। ସେତେବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିଲା। ମାମଲାର ଶୁଣାଣି ସମୟରେ ରାଜକିଶୋର ଅନୁପସ୍ଥିତ ରହୁଥିଲେ। ଏ ନେଇ କୋର୍ଟ ପକ୍ଷରୁ ଜାମିନ ବିହୀନ ପରଵାନା(ଏନବିଡବ୍ଲୁ) ଜାରି କରାଯାଇଥିଲା। ଏହି ଏନବିଡବ୍ଲୁ ବଳରେ ରାଜକିଶୋରଙ୍କୁ ଗିରଫ କରା ଯାଇଥିବା ସୂଚନା ମିଳିଛି।