ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ବିଚ୍‌ ରାସ୍ତାରେ ପିଟି ପିଟି ହତ୍ୟା: ନିଜ ଆଡୁ ମାମଲା ରୁଜୁ କଲେ ହାଇକୋର୍ଟ

ଆହ୍ଲାବାଦ: ଉତ୍ତରପ୍ରଦେଶରେ ଯୋଗୀରାଜରେ ଅପରାଧିକ ଘଟଣା ଥମିବାର ନାଁ ଧରୁ ନାହିଁ। ଗତକାଲି ଆହ୍ଲାବାଦରେ ଜନୈକ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ସର୍ବ ସମକ୍ଷରେ ପିଟି ପିଟି ହତ୍ୟା କରାଯାଇଛି। ୭୦ ବର୍ଷ ବୟସ୍କ ଅବ୍ଦୁଲ୍‌ ସମାଦା ଖାନ୍‌ ଗତକାଲି ସକାଳେ ଘରୁ ବାହାରି ଦୋକାନକୁ ସଉଦା କିଣିବା ଲାଗି ଯାଉଥିବା ବେଳ ଦୁର୍ବୃତ୍ତମାନେ ତାଙ୍କୁ ପଛପଟୁ ଆକ୍ରମଣ କରିଥିଲେ। ଘଟଣାର ମୁଖ୍ୟ ଅଭିଯୁକ୍ତ ଜୁନେଦ୍‌ ଓ ତା’ର କେତେଜଣ ସହଯୋଗୀ ଅତ୍ୟନ୍ତ ନୃଶଂସ ଭାବେ ଅବ୍ଦୁଲ୍‌ ସମାଦା ଖାନ୍‌ଙ୍କୁ ପିଟିଥିଲେ। ସେ ରାସ୍ତା ଉପରେ ପଡ଼ିଯିବା ପରେ ମଧ୍ୟ ପିଟି ଚାଲିଥିଲେ। ଘଟଣାସ୍ଥଳରେ ବହୁ ଲୋକ ଉପସ୍ଥିତ ଥିଲେ ବି କେହି ହସ୍ତକ୍ଷେପ କରିବାକୁ ଆସି ନ ଥିଲେ। ଏହାପରେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚଲା ଏବଂ ମୁମୁର୍ଷୁ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ଅବସରପ୍ରାପ୍ତ ସବ୍‌-ଇନସ୍‌ପେକ୍ଟରଙ୍କୁ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏହାପରେ ପୁଲିସ ପକ୍ଷରୁ ଏକ ଏଫ୍‌ଆଇଆର୍‌ ରୁଜୁ ହୋଇ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଜୁବେଦଙ୍କ ନାମରେ ଅପରାଧିକ ମାମଲା ରହିଛି। ସଂପତ୍ତି ବିବାଦକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାଯାଇଛି।

ଅନ୍ୟପକ୍ଷରେ ଏହି ଘଟଣା ସଂପର୍କରେ ଅବଗତ ହେବା ପରେ ଆହ୍ଲାବାଦ ହାଇକୋର୍ଟ ନିଜ ଆଡୁ ଏକ ମାମଲା ରୁଜୁ କରି ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏହି ଘଟଣାରେ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି ତାହା କୋର୍ଟଙ୍କୁ ଜଣାଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର