୫ ଶହ ଟଙ୍କା ଲାଞ୍ଚ ପାଇଁ ଆର୍‌ଆଇଙ୍କୁ ବର୍ଷେ ଜେଲ୍

ଭୁବନେଶ୍ବର : ଭୁବନେଶ୍ବର ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟ ଏକ ଲାଞ୍ଚ କାରବାର ମାମଲାର ଶୁଣାଣି କରି ଜଣେ ଆର୍‌ଆଇଙ୍କୁ ଏକ ବର୍ଷ ଜେଲ, ୫ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଆଉ ୩ ମାସ ଜେଲ ଦଣ୍ଡ ଭୋଗିବେ। ଦୋଷୀ ସାବ୍ୟସ୍ତ ହୋଇଥିବା ଆର୍‌ଆଇ ଜଣକ ହେଲେ, ବିଶ୍ବମ୍ବର ମହାପାତ୍ର। ସେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ ଗୋତିସାହି ସର୍କଲ ଆର୍‌ଆଇ ଥିଲେ। ୨୦୧୦ ମସିହା ଅଗଷ୍ଟ ମାସରେ ବିଶ୍ବମ୍ବର ଜଣେ ଅଭିଯୋଗକାରୀଙ୍କଠାରୁ ୫ ଶହ ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଥିଲେ। ଏ ନେଇ ତାଙ୍କ ନାଁରେ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନରେ ଏକ ମାମଲା ଚାଲୁଥିଲା। ଯାହାର ଶୁଣାଣି ଆଜି ହୋଇଥିଲା।

କୋର୍ଟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ମାୟାଧର ମହାପାତ୍ର ନାମକ ଅଭିଯୋଗକାରୀଙ୍କ ଇନକମ୍ ସାର୍ଟିଫିକେଟ କରାଇ ଦେବାକୁ ଆର୍‌ଆଇ ବିଶ୍ବମ୍ବର ୫ ଶହ ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ମାୟାଧର ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ପରେ ଭିଜିଲାନ୍ସର ଏକ ଟିମ୍ ଆର୍‌ଆଇ କାର୍ଯ୍ୟାଳୟ ନିକଟରେ ଲୁଚି ରହିଥିଲେ। ଅଭିଯୋଗକାରୀଙ୍କ ଠାରୁ ଆର୍‌ଆଇ ବିଶ୍ବମ୍ବର ଲାଞ୍ଚ ଟଙ୍କା ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ଭିଜିଲାନ୍ସ ପକ୍ଷରୁ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ପରବର୍ତୀ ସମୟରେ ଏହାର ଶୁଣାଣି ଭିଜିଲାନ୍ସ କୋର୍ଟରେ ଚାଲିଥିଲା। ଆଜି ମାନ୍ୟବର ବିଚାରପତି ସଂଜୀବ ଦୁବେ ୮ ଜଣ ସାକ୍ଷୀ, ଦସ୍ତାବିଜ ଓ ପ୍ରମାଣକୁ ଆଧାରରେ ଏହି ରାୟ ଶୁଣାଇ ଥିଲେ। ସରକାରଙ୍କ ପକ୍ଷରୁ ମାମଲାର ପରିଚାଳନା କରୁଥିଲେ ସ୍ବତନ୍ତ୍ର ପିପି ହେମନ୍ତ କୁମାର ସ୍ବାଇଁ। ମାତ୍ର ୫ଶହ ଟଙ୍କା ଲାଞ୍ଚ ନେଇ ଜଣେ ଆର୍‌ଆଇ ବର୍ଷକ ପାଇଁ ଜେଲ ଯିବା ଓ ୫ ହଜାର ଟଙ୍କା ଜରିମାନା ଦେବା ଚର୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର