ଭିଜିଲାନ୍ସ ଜାଲରେ ଆର୍‌ଆଇ

ଧର୍ମଶାଳା/ଚଢ଼େଇଧରା : ଦାଖଲଖାରଜ ମାମଲାରେ ଜଣେ ଆରଆଇ ୧୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ହେଉଛନ୍ତି ଧର୍ମଶାଳା ତହସିଲ ଅନ୍ତର୍ଗତ ଶ୍ରୀନଗର ସର୍କଲର ଆରଆଇ ଶ୍ୟାମସୁନ୍ଦର ଦାସ। ବଡ଼ଚଣା ଥାନା ଅନ୍ତର୍ଗତ ଚଣ୍ଡିତଳରେ ଥିବା ତାଙ୍କ ପୈତୃକ ଗୃହରେ ଭିଜିଲାନ୍ସ ବିଭାଗ ଚଢ଼ଉ ଜାରି ରଖିଛି। ଭିଜିଲାନ୍ସ ଇନ୍‌ସପେକ୍ଟର ଅନସୂୟା ବରାଳଙ୍କ ନେତୃତ୍ୱରେ ଅଧିକାରୀମାନେ ଚଢ଼ଉ ଜାରି ରହିଛି। ଭିଜିଲାନ୍‌ସ ଦ୍ଵାରା ୧୦ ଖଣ୍ଡ ୧୦୦ ଟଙ୍କିଆ ନୋଟ୍‌ ଜବତ୍‌ କରାଯାଇଥିବା ଧର୍ମଶାଳା ତହସିଲଦାର୍‌ ପ୍ରଭାସ କୁମାର ବେହେରା ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଧର୍ମଶାଳା ଥାନା ଅନ୍ତର୍ଗତ ଶଙ୍କରଡିହ ଗ୍ରାମର ଦ୍ୱର୍ଗତ ଇନ୍ଦ୍ରମଣି ସ୍ୱାଇଁଙ୍କ ପୁଅ ନୀଳମଣି ସ୍ୱାଇଁଙ୍କର ୧୪୦୪/୧୭ ଏବଂ ୧୫୯୯/୧୭ରେ ଦୁଇଟି ଦାଖଲଖାରଜ ମାମଲାର ରିପୋର୍ଟ ଦେବା ପାଇଁ ଆରଆଇ ଶ୍ରୀ ଦାସ ତାଙ୍କୁ ୧୦୦୦ ଟଙ୍କା ଦାବି କରିଥିଲେ। ହଜାରେ ଟଙ୍କା ନଦେଲେ ରିପୋର୍ଟ ଦେବେ ନାହିଁ ବୋଲି କହିବାରୁ ଶ୍ରୀ ସ୍ୱାଇଁ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ନିର୍ଧାରିତ କଥା ଅନୁଯାୟୀ ଆଜି ଶ୍ରୀ ସ୍ୱାଇଁ ଆରଆଇ ଅଫିସ୍‌ରେ ପହଞ୍ଚି ୧୦୦୦ ଟଙ୍କା ଲାଞ୍ଚ ଦେଉଥିବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିନେଇଥିଲେ। ତାଙ୍କଠାରୁ ଲାଞ୍ଚ ଟଙ୍କା ଉଦ୍ଧାର କରାଯିବା ସହ ତାଙ୍କୁ ଗିରଫ କରାଯାଇଛି। ଏନେଇ ଭିଜିଲାନ୍ସ ପକ୍ଷରୁ ୪୮/୧୭ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର