ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହରଦୋଇରରେ ବସବାସ କରୁଥିବା ଇ-ରିକ୍ସା ଚାଳକଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ତାଙ୍କର ଦୁଇମାସରେ ଆୟ ୬କୋଟି ୬୭ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି।

Advertisment

ଏହି ଆଶ୍ଚର୍ଯ୍ୟଜନକ ଘଟଣା କୋତବାଲି ଅଞ୍ଚଳସ୍ଥ ତିଲକ ନଗର ବାସିନ୍ଦା ଅମନ କୁମାର ରାଠୋରଙ୍କ ସହିତ ଘଟିଛି। ଅମନ ଇ-ରିକ୍ସା ଚଲାଇ ଜୀବନଯାପନ କରନ୍ତି। କିଛିଦିନ ହେବ ଇ-ରିକ୍ସାର ବ୍ୟାଟେରୀ ଖରାପ ହେବାରୁ ସେ ତାହାକୁ ପରିବର୍ତ୍ତନ କରିବା ପାଇଁ ଅନେକ ଅସୁବିଧାର ସାମ୍ନା କରିଥିଲେ। ଏଥିପାଇଁ ‌ସେ ବ୍ୟାଙ୍କକୁ ଯାଇ ଋଣ ପାଇଁ କର୍ମଚାରୀଙ୍କ ସହିତ କଥା ହୋଇଥିଲେ।

ବ୍ୟାଙ୍କ କର୍ମଚାରୀ ଅମନଙ୍କୁ ଆଇଟିଆର ମାଗିଥିଲେ। ୫୦ହଜାର ଟଙ୍କାର ଋଣ ନେବା ପାଇଁ ଅମନ ଆଇଟିଆର ରୁଜୁ କରିବା ହେତୁ ଜନସେବା କେନ୍ଦ୍ର ଯାଇଥିଲେ। ଜନସେବା କେନ୍ଦ୍ର ସଞ୍ଚାଳକ ଅଧିକାରୀ ଯେତେବେ‌ଳେ ତାଙ୍କ ଆଇଟିଆର ଭରିବାକୁ ଆବେଦନ କରିଥିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଅମନ କୁମାର ରାଠୋରଙ୍କ ନାମରେ ୨ ମାସରେ ପାଖାପାଖି  ଆୟ ‌୬କୋଟି ୬୭ଲକ୍ଷ ଟଙ୍କା ଥିବା ସୂଚିତ ହୋଇଥିଲା।

ସୂଚନା ମିଳିଛି କି, ଦିଲ୍ଲୀରେ ରାଠୋର ଟ୍ରେଡର୍ସ ନାମରେ ଫର୍ମ ପଞ୍ଜିକରଣ ହୋଇଛି। ଯାହାକି କପର ୱୟାର ଓ ସ୍କ୍ରାପର ବ୍ୟବସାୟ କରେ। ଏହି ବ୍ୟବସାୟର ରେଜିଷ୍ଟ୍ରେସନ ଅମନଙ୍କ ନାମରେ ହୋଇଛି। ଅମନଙ୍କ ଆଧାର ଓ ପାନ ନମ୍ବର ବି ଏଥିରେ ପଞ୍ଜିକରଣ ହୋଇଛି।

ଏହି ଘଟଣାକୁ ନେଇ ଅମନ କହିଛନ୍ତି, ‘ବର୍ଷେ ହେବ ସନ୍ଦୀପ କୁମାର ନାମକ ଜଣେ ବ୍ୟକ୍ତି ମୋତେ ଚାକିରି ଦେବା ନାମରେ ଆଧାର ଓ ପାନ ମାଗିଥିଲେ। ମୁଁ ତାଙ୍କୁ ମୋର ଆଧାର ଓ ପାନ ନମ୍ବରର ସବିଶେଷ ବିବରଣୀ ଦେଇଥିଲି। ଏହି ଘଟଣାକୁ ବର୍ଷେ ବିତି ଯାଇଥିବାରୁ ମୁଁ ଏସବୁ ଭୁଲି ଯାଇଥିଲି। ତେବେ ମୋର ଆଧ‌ାର ଓ ପାନ କାର୍ଡକୁ ଏଭଳି କ୍ଷେତ୍ରରେ ବ୍ୟବହାର କରାଯାଇଥିବାରୁ ମୁଁ ପୁଲିସରେ ଅଭିଯୋଗ କରିବି।’