‘ରିପ୍ଡ ଜିନ୍ସ’ ପିନ୍ଧୁଥିବା ମହିଳାଙ୍କ ଯୌନ ଶୋଷଣ କରିବା ଦେଶଭକ୍ତି ଓ ଦୁଷ୍କର୍ମ କରିବା ରାଷ୍ଟ୍ରୀୟ କର୍ତ୍ତବ୍ୟ :ଆଇନଜୀବୀଙ୍କ ବିବାଦୀୟ ବୟାନ

କାଇରୋ: ଇଜିପ୍ଟର ଜଣେ ପ୍ରମୁଖ ଦକ୍ଷିଣପନ୍ଥୀ ନେତା ତଥା ଆଇନଜୀବୀ ନିକଟରେ ଏକ ଟିଭି ଚାନେଲରେ ମହିଳାଙ୍କ ଉପରେ ଦେଇଥିବା ବୟାନ ବିବାଦ ଘେରରେ ରହିଛି। ସୋସିଆଲ ମିଡିଆରେ ଆଇନଜୀବୀଙ୍କ ଏହି ବୟାନକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଦେଖାଦେବା ସହିତ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।

ସୂଚନାଯୋଗ୍ୟ, ଏକ ଟିଭି ସୋ’ରେ ଆଇନଜୀବୀ ନବିହ ଅଲ-ଓ୍ଵାହସ ମହିଳାଙ୍କ ଉପରେ ହେଉଥିବା ଯୌନ ଶୋଷଣ ଓ ଦୁଷ୍କର୍ମ ମାମଲାର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହି ଆଲୋଚନା ଚାଲିଥିବା ସମୟରେ ନବିହ କହିଥିଲେ କି, ରିପ୍ଡ ଜିନ୍ସ ( ବିଭିନ୍ନ ସ୍ଥାନରେ କଣା ଥିବା ଜିନ୍ସ) ପିନ୍ଧୁଥିବା ମହିଳାଙ୍କୁ ଦୁଷ୍କର୍ମ କରିବା ପୁରୁଷମାନଙ୍କ ରାଷ୍ଟ୍ରୀୟ କର୍ତ୍ତବ୍ୟ।

ଅଲ-ଅସିମା ଚାନେଲର ଇନଫ୍ରାଦ ଟିଭି ସୋ’ରେ ଚାଲୁଥିବା ଆଲୋଚନାରେ ନବିହ କହିଛନ୍ତି, ‘ଯେଉଁ ମହିଳା ନିଜ ଶରୀର କୌଣସି ଅଙ୍ଗ ପ୍ରଦର୍ଶନ କରିଥାଏ, ସେହି ମହିଳା ପୁରୁଷକୁ ଯୌନ ଶୋଷଣ କରିବାକୁ ଆମନ୍ତ୍ରିତ କରିଥାଆନ୍ତି। ଏଭଳି ବୟାନ ଦେବା ପରେ ଚାନେଲରେ ବସିଥିବା ପ୍ୟାନେଲର ଅନ୍ୟ ସଦସ୍ୟମାନେ ଉତକ୍ଷିପ୍ତ ହୋଇଯାଇଥିଲେ। ଏହି ବିବାଦକୁ ଦେଖି ସୋ’କୁ ଅଧାରୁ ବନ୍ଦ କରିବାକୁ ପଡ଼ିଥିଲା।’

ନିଜ ବୟାନରେ ନବିହ କହିଛନ୍ତି, ‘ଯେତେବେଳେ ଆପଣ ରାସ୍ତାରେ କୌଣସି ମହିଳାଙ୍କ ପଛ ପାର୍ଶ୍ୱର ଅଧା ଅଂଶ ଦେଖିଥାଆନ୍ତି। ଆପଣ ଖୁସି ହୋଇ ଥାଆନ୍ତି? ମୁଁ କହୁଛି ଯଦି ମହିଳାଟିଏ ଏଭଳି ଅବସ୍ଥାରେ ବାହାରେ ବୁଲିଥାଏ, ତେବେ ତାହାର ଯୌନ ଶୋଷଣ କରିବା ଦେଶଭକ୍ତି ଓ ଦୁଷ୍କର୍ମ କରିବା ରାଷ୍ଟ୍ରୀୟ କର୍ତ୍ତବ୍ୟ ଅଟେ।’

ସୋସିଆଲ ମିଡିଆରେ ନବିହଙ୍କ ଏହି ବିବାଦୀୟ ବୟାନକୁ ନେଇ ହଙ୍ଗାମା ସୃଷ୍ଟି ହେବା ପରେ, ନବିହ ନିଜ ସଫେଇରେ କହିଛନ୍ତି, ‘ମହିଳାଙ୍କୁ ଏଭଳି ପୋଷାକ ପରିଧାନ ରୋକିବାକୁ ମୁଁ କଡା ଆଇନର ଦାବି କରୁଛି। ମହିଳା ପ୍ରଥମେ ନିଜର ସମ୍ମାନ କରିବା ଉଚିତ, ତା’ପରେ ଯାଇ ଅନ୍ୟମାନେ ସେମାନଙ୍କ ସମ୍ମାନ କରିପାରିବେ। ସୀମାର ରକ୍ଷା କରିବାଠାରୁ ଜରୁରୀ ନୈତିକତା ରକ୍ଷା କରିବା।’

ସମ୍ବନ୍ଧିତ ଖବର