ଶେଷରେ ମିଳିଲା ନ୍ୟାୟ: ନାବାଳିକାକୁ ଦୁଷ୍କର୍ମ କରି ଆଜୀବନ ଜେଲ ଭୋଗିବେ ଲାଲୁଙ୍କ ବିଧାୟକ; ହରାଇଲେ ପଦ

ପାଟନା: ରାଷ୍ଟ୍ରୀୟ ଜନତା ଦଳ ବିଧାୟକ ରାଜ ବଲ୍ଲବ ଯାଦବ ୨୦୧୬ ମସିହାରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅପରାଧରେ ଦଣ୍ଡିତ ହୋଇଛନ୍ତି। ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ଏହା ଫଳରେ ସେ ବିହାର ବିଧାନସଭାର ସଦସ୍ୟତା ହରାଇଛନ୍ତି।

ଡିସେମ୍ବର ୧୫ ତାରିଖରେ ପାଟନାର ଏକ ସ୍ଥାନୀୟ ଅଦାଲତ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଯାଦବ ଓ ଅନ୍ୟ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି ଅଦାଲତ ଦଣ୍ଡ ଘୋଷଣା କରିଛନ୍ତି।

oneindia.com

ଘଟଣାରୁ ପ୍ରକାଶ ଯେ, ୨୦୧୬ ଫେବୃଆରି ୬ ତାରିଖରେ ବିଧାୟକ ରାଜ ବଲ୍ଲବ ଯାଦବ ତାଙ୍କର ବିହାର ସରିଫସ୍ଥିତ ବାସଭବନରେ ନାବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ସୁଲେଖା ନାମ୍ନୀ ଜଣେ ମହିଳା ଉକ୍ତ ନାବାଳିକାକୁ ଛଳନାରେ ବିଧାୟକଙ୍କ ଘରକୁ ଆଣିଥିବା ଜଣାପଡ଼ିଥିଲା।

ନାବାଳିକା ଦୁଷ୍କର୍ମ ଘଟଣା ପ୍ରଘଟ ହେବା ପରେ ଯାଦବଙ୍କୁ ଦଳ ଫେବୃଆରି ୧୪ରେ ନିିଲମ୍ବିତ କରିଥିଲା। ଏହାପରେ ସେ ଫେରାର୍‌ ଥିଲେ ଓ ସୁପ୍ରିମ୍‌କୋର୍ଟରେ ଜାମିନ ଆବେଦନ ଖାରଜ ହେବାପରେ ଆତ୍ମସମର୍ପଣ କରିଥିଲେ।

ଅନ୍ୟପକ୍ଷରେ ପୀଡ଼ିତା ଜଣକଙ୍କୁ ବାରମ୍ବାର ଧମକ ଦିଆଯିବା ସହ ଭୟଭୀତ କରାଯାଇଥିଲେ ହେଁ ସେ ଏହାକୁ ନ ଡରି ଆଇନ ଲଢ଼େଇ ଲଢ଼ିଥିଲେ। ଶେଷରେ ପୀଡ଼ିତାଙ୍କୁ ନ୍ୟାୟ ମିଳିଛି।

ସମ୍ବନ୍ଧିତ ଖବର