ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଚୋର ଚୋରି କରିବା ଉଦ୍ଦେଶ୍ୟରେ ଜଣଙ୍କ ଘରେ ପଶିଥିଲା। ଘରୁ ଚୋରି ସାମଗ୍ରୀ ସାଥୀରେ ଧରି ବାହାରିବା ସମୟରେ ତାକୁ ଜୋରରେ ନିଦ ଲାଗିଥିଲା। ନରମ ବିଛଣା ଓ ଏସି ଦେଖି ସେ ସେଠାରେ କିଛି ସମୟ ପାଇଁ ଗଡ଼ି ପଡ଼ିଥିଲା। ଯାହାକି ତାକୁ ମହଙ୍ଗା ପଡ଼ିଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ପ୍ରକାଶିତ ରିପୋର୍ଟ ମୁତାବକ, ଫେଟାଚୁଆନର ଭିଚିଆନ୍ ବୁରୀ ଜିଲ୍ଲାର ପୁଲିସ ଅଧିକାରୀ ଜିଆମ୍ ପ୍ରସାରଙ୍କ ଘରେ ନିକଟରେ ଜଣେ ଚୋର ପ୍ରବେଶ କରିଥିଲା। ପୁଲିସ ଅଧିକାରୀ ଅନ୍ୟ ଏକ କୋଠରିରେ ଶୋଇଥିବା ବେଳେ ଚୋର ତାଙ୍କ ଝିଅଙ୍କ ରୁମରେ ଶୋଇ ପଡ଼ିଥିଲା।

ଯେତେବେଳେ ପୁଲିସ ଅଧିକାରୀ ସକାଳୁ ଉଠି ଦେଖିଲେ ଯେ ଝିଅ ରୁମର ଏସି ଚାଲିଛି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଘରେ ତାଙ୍କ ଝିଅ ନଥିଲା। ସେ କୋଠରି ଭିତରକୁ ଯାଇ ଦେଖିଲା ବେଳକୁ ତାଙ୍କ ଝିଅ ବିଛଣାରେ କମ୍ବଳରେ ଘୋଡ଼ାଇ ହୋଇ ଜଣେ ଅଜଣା ଲୋକ ଶୋଇଛି।
ସେ ତାକୁ ଉଠାଇଥିଲେ। ଯେମିତି ତା’ ଆଖି ଖୋଲିଛି ସେ ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଅଧିକାରୀ ତାକୁ କାବୁ କରି ନେଇଥିଲେ। ଚୋରି ଅଭିଯୋଗରେ ତାକୁ ଗିରଫ କରାଯାଇଛି। ସେପ୍ଟେମ୍ବର ୨୦୨୦ ରେ ଆନ୍ଧ୍ରପ୍ରଦେଶରେ ମଧ୍ୟ ଏପରି ସମାନ ଘଟଣା ଘଟିଥିଲା।