ଦୋକାନକୁ ଚୋରି କରିବାକୁ ଯାଇଥିଲା ଚୋର, ପାର୍କିଂରେ ରଖିଥିବା ନିଜ ଗାଡ଼ି ହୋଇଗଲା ଚୋରି

ଓ୍ଵାସିଂଟନ୍‌: କଥାରେ ଅଛି ଯେମିତି କର୍ମ କରିବ ସେମିତି ଫଳ ପାଇବ। ଆମେ ଆପଣଙ୍କୁ ଏହି ଉକ୍ତିଟି କହିବାର କାରଣ ହେଉଛି ଏମିତି ଏକ ଘଟଣା ନିକଟରେ ଆମେରିକାର ଓ୍ଵାସିଂଟନ୍‌ରେ ଦେଖିବାକୁ ମିଳିଛି।

ଜଣେ ଚୋର ପାର୍କିଂରେ ନିଜ କାରକୁ ଛିଡା କରି ଏକ ଦୋକାନ୍‌କୁ ଚୋରି କରିବା ପାଇଁ ଯାଇଥିଲା। ଏହି ସମୟରେ ଅନ୍ୟ ଏକ ଚୋର ଏହି ଗାଡ଼ିକୁ ପାର୍କିଂରୁ ଚୋରି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଓ୍ଵାସିଂଟନ୍‌ରେ ଘଟିଥିବା ଏହି ଘଟଣାର ‘କେନେଓ୍ଵିକ୍‌ ପୁଲିସ ଡିପାର୍ଟମେଣ୍ଟ’ ଏକ ଭିଡିଓ ପୋଷ୍ଟ କରିଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ପୋଷ୍ଟ କରିବା ପରେ କେନେଓ୍ଵିକ୍‌ ପୁଲିସ ଡିପାର୍ଟମେଣ୍ଟ (କେପିଡି)ଏହି ଘଟଣା ପୂରା ସୂଚନା ଦେଇଥିଲେ। ଏହି ଘଟଣାଅଗଷ୍ଟ ୨୫ ତାରିଖ ସକାଳ ୬ଟା ସମୟର ବୋଲି କୁହାଯାଉଛି।

କେପିଡିଙ୍କ କହିବାନୁସାରେ, ୨୫ ତାରିଖ ଦିନ ଏକ କାର ଚୋରି ହେବାର ସୂଚନା ମିଳିଥିଲା। କାରର ମାଲିକ ଓ୍ଵିଲିୟମ କେଲି ପୁଲିସକୁ ଫୋନ୍‌ କରି କାର ଚୋରି ହେବା ଘଟଣାର ସୂଚନା ଦେଇଥିଲେ।

କାର ମାଲିକ ଓ୍ଵିଲିୟମ କେଲିଙ୍କ କହିବାନୁସାରେ, ସେ କାର ସିଟ୍‌ରେ ଚାବି ଛାଡି ଦେଇଥିଲେ। ଏହି ସମୟରେ ସାଇକେଲରେ ଯାଉଥିବା ଏକ ଚୋର ତାହାକୁ ଦେଖି ନେଇଥିଲା। ସେ ସେଠାରୁ ଯିବା କ୍ଷଣି ଚୋର ଚାବି ଆଣି କାର ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଏହି ସମୟରେ ସେ ଚୋରକୁ ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଅସଫଳ ରହିଥିଲେ।

ଏହାପରେ ପୁଲିସ ଏହି ଘଟଣାର ଯାଞ୍ଚ ପାଇଁ ସିସିଟିଭି ଫୁଟେଜ ଦେଖିଥିଲା। ସିସିଟିଭି ଫୁଟେଜ ପରେ ଏକ ଅଲଗା ଘଟଣା ସାମ୍ନାକୁ ଆସିଥିଲା। ପୁଲିସ ସୂତ୍ରରୁ ପ୍ରକାଶ, କାର ମାଲିକ ଓ୍ଵିଲିୟମ କେଲି ସଡ଼କର ଅପରପାର୍ଶ୍ୱରେ ଥିବା ଏକ ଦୋକାନକୁ ସାମଗ୍ରୀ ଚୋରି ପାଇଁ ଯାଇଥିଲା। ଏହି ସମୟରେ ଓ୍ଵିଲିୟମର କାର ଚୋରି ହୋଇଯାଇଥିଲା।

ସମ୍ବନ୍ଧିତ ଖବର