ମହିଳା ଆର୍‌ପିଏଫ୍‌ କନେଷ୍ଟବଳଙ୍କୁ ଏସିଡ଼୍‍ ମାଡ଼: ଶିଶୁ କନ୍ୟାଜନ୍ମ ଦେଇଥିବାରୁ ସ୍ୱାମୀ ଏପରି କରିଥିବା ଅଭିଯୋଗ

ମୁଜାଫର୍‌ନଗର : ଏବେ ବି ଦେଶରେ ଶିଶୁ କନ୍ୟାର ଜନ୍ମକୁ ପାପ ବୋଲି ବିବେଚନା କରାଯାଉଛି । ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ମୁଜାଫରନଗରରେ । ଜଣେ ମହିଳା ଆର୍‌ପିଏଫ୍‌ କନେଷ୍ଟବଳ ଶିଶୁ କନ୍ୟା ଜନ୍ମ ଦେଇଥିବାରୁ ତାଙ୍କ ସ୍ୱାମୀ ରାଗି ଯାଇ ତା’ଙ୍କ ଉପରେ ଏସିଡ଼୍‍ ମାଡ଼ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣଙ୍କ ଦେଶର ରାଜଧାନୀ ଦିଲ୍ଲୀରେ ରହୁଥିଲେ ମଧ୍ୟ ତା’ଙ୍କ ଚିନ୍ତାଧାରା ଏତେ କୁତ୍ସିତ ହୋଇଥିବା ଜାଣି ଲୋକମାନେ ନିନ୍ଦା କରିବା ଆରମ୍ଭ କରିଛନ୍ତି । ଅନ୍ୟ ପକ୍ଷରେ ଆର୍‌ପିଏଫ୍‌ କନେଷ୍ଟବଳ କୋମଲଙ୍କୁ ଏସିଡ଼ ମାଡ଼ ପରେ ଡ଼ାକ୍ତରଖାନା ନିଆଯାଇଥିବା ବେଳେ ତା’ଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି ।
ସୂଚନା ମୁତାବକ, ୨୦୨୩ରେ କୋମଲ ଦିଲ୍ଲୀରେ ରହୁଥିବା କପିଲ କୁମାରଙ୍କୁ ବିବାହ କରିଥିଲେ । ବିବାହ ପରେ ପରେ ଶାଶୂ ଘର ଲୋକେ କୋମଲଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ । ସବୁ ଦିନ ପାରିବାରିକ କଳହ ଲାଗି ରହିଥିବାରୁ କୋମଲ ମୁଜାଫରନଗରରେ ଥିବା ତା’ଙ୍କ ବାପ ଘରକୁ ଚାଲି ଆସିଥିଲେ । କିଛି ଦିନ ତଳେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । କୋମଲଙ୍କ ମା’ ହେବା ପରେ ତା’ଙ୍କ ପରିବାର ଲୋକେ ଖୁସି ହେବା ସହ କପିଲ ତା’ଙ୍କୁ ଶନିବାର ଦେଖା କରିବା ପାଇଁ ମୁଜାଫରନଗର ଆସିଥିଲେ । କିନ୍ତୁ ସେଠାରେ ମଧ୍ୟ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇ ଯାଇଥିଲା ।

The Statesman

ଯେଉଁଥିରେ ରାଗି ଯାଇ କପିଲ କୋମଲଙ୍କ ଉପରେ ଏସିଡ଼୍‍ ଢ଼ାଳିବା ସହ ସେଠାରୁ ଚାଲି ଯାଇଥିଲେ । ଏହା ପରେ ପରିବାର ଲୋକେ କୋମଲଙ୍କୁ ଡ଼ାକ୍ତରଖାନା ନେବା ସହ ପୋଲିସରେ ଏ ନେଇ ଏତଲା ଦେଇଥିଲେ । ଏତଲା ପାଇବା ପରେ ଫେରାର ଥିବା ସ୍ୱାମୀକୁ ପୋଲିସ ଖୋଜିବା ସହ କୋମଲଙ୍କ ଅବସ୍ଥା ଏବେ ଗୁରୁତର ଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର