ରାୟଗଡ଼ା: ଯବାନଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ

ମୁନିଗୁଡ଼ା/ରାୟଗଡ଼ା: ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ସୋମବାର ଅପରାହ୍ନ ୨ଟାରେ ଜଣେ ଯବାନ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌ର ଶିକାର ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ାସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ସିଆରପିଏଫ୍‌ ଯବାନ ଜଣକ ୧ଲକ୍ଷ ୫୫ ହଜାର ଟଙ୍କା ଉଠାଇ ଫେରୁଥିବା ବେଳେ ବସଷ୍ଟାଣ୍ଡରେ ଦୁଇ ଜଣ ଦୁର୍ବୃତ୍ତ ଅଟାକାଇଥିଲେ। ଯବାନ କିଛି କହିବା ପୂର୍ବରୁ ସେମାନେ ଟଙ୍କା ନେଇ ବାଇକରେ ଫେରାର ହୋଇଯାଇଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଅଭିଯୋଗକାରୀ ଯବାନ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ ଦୁଇ ଦିନ ତଳେ ରାୟଗଡ଼ା ସହରରେ ଜଣେ ବ୍ୟବସାୟୀଙ୍କ ଠାରୁ ୯ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଥିଲା। ଟାଉନଥାନା ଅନ୍ତର୍ଗତ ଗନ୍ତାୟତ ମେଡିକାଲ ଷ୍ଟୋରସ୍‌ର ମାଲିକ ଗତ ଶୁକ୍ରବାର ଅପରାହ୍ନ ୪ଟାରେ ଆନ୍ଧ୍ର ବ୍ୟାଙ୍କରୁ ୯ ଲକ୍ଷ ଟଙ୍କା ନେଇ ଘରକୁ ଫେରୁଥିଲେ। ବ୍ୟାଙ୍କ ଠାରୁ ମାତ୍ର ୨୦୦ ମିଟର ଦୂରରେ ତାଙ୍କୁ କିଛି ଦୁର୍ବୃତ୍ତ ଅଟକାଇଥିଲେ। ଏହା ପରେ ଦୁର୍ବୃତ୍ତମାନେ ଟଙ୍କା ଭର୍ତ୍ତି ବ୍ୟାଗକୁ ଛଡ଼ାଇବାକୁ ଲାଗିଥିଲେ। ବ୍ୟାଗ ଟଙ୍କା ବଂଚାଇବା ପାଇଁ ବ୍ୟକ୍ତି ଜଣକ ଉଦ୍ୟମ କରୁଥିବା ବେଳେ ଦୁର୍ବୃତ୍ତମାନେ ଏହାକୁ ଛଡ଼ାଇ ନେବାରେ ସଫଳ ହୋଇଥିଲେ। ସେମାନେ ଟଙ୍କା ବ୍ୟାଙ୍କ ଲୁଟ କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।

ଘଟଣା ଦିନ ବ୍ୟବସାୟୀଙ୍କ ଠାରୁ ଦୁର୍ବୃତ୍ତମାନେ ଟଙ୍କା ଲୁଟ୍‌ କରୁଥିବା ଦୃଶ୍ୟ ଦୂରରୁ ଦେଖୁଥିଲେ ମଧ୍ୟ ସେମାନେ କିଛି ଜାଣି ପାରି ନଥିଲେ। ତିନି ଜଣ ଲୋକଙ୍କ ମଧ୍ୟରେ କ’ଣ ହେଉଛି, ସେମାନେ ଜାଣି ପାରି ନଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର