ଚନ୍ଦ୍ରଶେଖରପୁର : ଭଣଜା ବୋଲି ସବୁକିଛି ତା’ ଜିମାରେ ଛାଡ଼ି ଦେଇଥିଲେ। ମାତ୍ର ଲୋଭ ମଣିଷକୁ ପାପଗ୍ରସ୍ତ କରିଥାଏ। ଏହା ପ୍ରମାଣିତ ହୋଇଛି ୨୪ ବର୍ଷୀୟ ଅଭୟ ଶର୍ମା ଓରଫ୍ ବୁବୁନ୍ କ୍ଷେତ୍ରରେ। ମାମୁଙ୍କ ୧୨ ଲକ୍ଷ ଲୁଟିନେବା ଅଭିଯୋଗରେ ପୁଲିସ ବୁବୁନ୍ ସମେତ ୨ ଜଣଙ୍କୁ ଗିରଫ କରିଛି।
ମୁମ୍ବାଇରେ ନିଜ ପରିବାର ସହିତ ରହୁଥିବା ପୂର୍ବତନ ନୌସେନା କର୍ମଚାରୀ ପ୍ରକାଶ ଚନ୍ଦ୍ର ଆଚାର୍ଯ୍ୟ ଅବସର ପରେ ମର୍ଚ୍ଚାଣ୍ଟ୍ ସିପ୍ରେ କାର୍ଯ୍ୟରତ ଅଛନ୍ତି। ତେବେ ଏଠାରେ କାନନବିହାର ଫେଜ୍-୧ରେ ସେ ନିଜେ ଗଢ଼ିଥିବା ଏକ ଏନ୍ଜିଓ ‘ଉଦୟଭାନୁ’ର ଆର୍ଥିକ କାରବାର ସହିତ ସବୁ କଥା ଭଣଜା ବୁବୁନ୍ ଉପରେ ନ୍ୟସ୍ତ କରିଥିଲେ। ନିକଟରେ ଶ୍ରୀ ଆଚାର୍ଯ୍ୟ ମୁମ୍ବାଇରୁ ଭୁବନେଶ୍ୱର ଆସିଥିଲେ ଏବଂ ଏନ୍ଜିଓର ବିଭିନ୍ନ କାମ ପାଇଁ ୧୨ ଲକ୍ଷ ଟଙ୍କା ରଖିଥିଲେ। ବୁଧବାର ସନ୍ଧ୍ୟାରେ କେହି ଜଣେ ଅଜଣା ନମ୍ବରରୁ ଶ୍ରୀ ଆଚାର୍ଯ୍ୟଙ୍କୁ ଫୋନ୍ କରି ବାହାରକୁ ଡାକିଥିଲା। ରାତି ପ୍ରାୟ ୧୧ଟାରେ ସେ ଘରକୁ ଫେରିବା ପରେ ଶ୍ରୀ ଆଚାର୍ଯ୍ୟ ତାଙ୍କ ଘରର ଆଲମାରି ତଥା ଆସବାପତ୍ର ଅସଜଡ଼ା ହୋଇ ପଡ଼ିଥିବା ଏବଂ ଟଙ୍କା ନଥିବା ଦେଖିବାକୁ ପାଇଥିଲେ। ସେ ତୁରନ୍ତ ଚନ୍ଦ୍ରଶେଖରପୁର ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାର ତଦନ୍ତ କରି ବୁବୁନ୍ (୨୪) ଓ ତା’ର ସହଯୋଗୀ ଅଭିଷେକ ଏକ୍କା ଓରଫ୍ ବିକି (୨୪)କୁ ଗିରଫ କରିବା ସହିତ ଚୋରି ହୋଇଥିବା ୧୨ଲକ୍ଷ ଟଙ୍କା ମଧ୍ୟରୁ ୧୧ଲକ୍ଷ ୯୬ହଜାର ଟଙ୍କା ଉଦ୍ଧାର କରିଛି।