ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଂଚଳରେ ଗୁରୁବାର ସାପ୍ତାହିକ ହାଟ ଥିବାବେଳେ ପୂର୍ବାହ୍ଣ ୧୧ରେ ଦୁର୍ବୃତ୍ତମାନେ ଜଣେ ଅଙ୍ଗନୱାଡ଼ି କର୍ମୀଙ୍କ ୨୮ ହଜାର ଟଙ୍କା ସହ ଜରୁରୀ କାଗଜପତ୍ର ଥିବା ବ୍ୟାଗ ଲୁଟ୍ଛନ୍ତି। ତେବେ ଡାବୁଗାଁର ମୁଖ୍ୟ ଚାରି ଛକ ଜନ ଗହଳି ରହୁଥିବା ବେଳେ ଅତି ସାହାସିକତା ଦେଖାଇ ଦୁର୍ବୃତ୍ତମାନେ ବାଇକ୍ ଡିକି ଭାଙ୍ଗି ଟଙ୍କା ଲୁଟ କରିଛନ୍ତି । ଏ ନେଇ ଅଙ୍ଗନୱାଡ଼ି କର୍ମୀ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ତନାଘନା ଆରମ୍ଭ କରିଛି।
ସୂଚନା ଅନୁଯାୟୀ ଡାବୁଗାଁ ବ୍ଲକ୍ ଅନ୍ତର୍ଗତ ନନ୍ଦପୁରା-୧ର ଅଙ୍ଗନୱାଡ଼ି କର୍ମୀ ବେଦବତି ହରିଜନ ନିଜ ସ୍ୱାମୀଙ୍କ ସହ ଅଙ୍ଗନୱାଡ଼ି କେନ୍ଦ୍ର ନିମନ୍ତେ ଖାଦ୍ୟ ବାବଦକୁ ଆସିଥିବା ଟଙ୍କା ଉଠାଇବାକୁ ଡାବୁଗାଁ ଏସବିଆଇ ବ୍ୟାଙ୍କ୍କୁ ଆସିଥିଲେ । ସେଠାରେ ୨୮ ହଜାର ଟଙ୍କା ଉଠାଇବା ପରେ ଏକ ବ୍ୟାଗ୍ରେ ଟଙ୍କା, ଚେକ୍ ବହି, ରେଜିଷ୍ଟର ଖାତା ଓ ଷ୍ଟାମ୍ପ ସିଲ୍ ସହ ତାଙ୍କ ବାଇକ୍ ଡିକିରେ ରଖି ବ୍ୟାଙ୍କ୍ରୁ ନିଜ ଗ୍ରାମ ଅଭିମୁଖେ ବାହାରିଥିଲେ।
ବ୍ୟାଙ୍କ ଠାରୁ ମାତ୍ର ୫୦୦ ମିଟର ଦୂର ଡାବୁଗାଁ ପୁଲିସ ଫାଣ୍ଡି ନିକଟ ଏକ କପଡା ଦୋକାନ ନିକଟରେ ଏକ ଶୀତ ବସ୍ତ୍ର କିଣିବାକୁ ଅଙ୍ଗନୱାଡ଼ି କର୍ମୀ ରହିଥିଲେ। ଏହି ସମୟରେ ଅଙ୍ଗନୱାଡ଼ି କର୍ମୀଙ୍କର ସ୍ୱାମୀ ମଧ୍ୟ ବାଇକ ରାସ୍ତା ଉପରେ ଷ୍ଟାଣ୍ଡ ମାରି ପାଖରେ ଠିଆ ହୋଇଥିଲେ। ନିମିଷକ ମଧ୍ୟରେ ଦୁର୍ବୃତ୍ତ ବାଇକ୍ର ଡିକି ଭାଙ୍ଗି ୨୮ ହଜାର ଟଙ୍କା ସହ ଆନ୍ୟନ୍ୟ ଜିନିଷପତ୍ର ଧରି ଚମ୍ପଟ ମାରିଥିଲେ।