କାମାକ୍ଷା-ଯଶୋବନ୍ତପୁର ଏକ୍ସପ୍ରେସରେ ଡିଆର୍‌ଆଇର ଚଢ଼ଉ : ୩ ଲକ୍ଷ ଟଙ୍କାର ଜାଲ୍‌ ନୋଟ୍‌ ଜବତ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ରାଜସ୍ୱ ଗୁଇନ୍ଦା ନିର୍ଦେଶାଳୟ (ଡିଆର୍‌ଆଇ) ପକ୍ଷରୁ ଖୋର୍ଧାରୋଡ୍‌ ଷ୍ଟେସନ୍‌ରେ ଥିବା ଏକ୍ସପ୍ରେସ ଟ୍ରେନ୍‌ରେ ଚଢ଼ଉ କରାଯାଇ ୩ ଲକ୍ଷ ଟଙ୍କାର ଜାଲ୍‌ ନୋଟ୍‌ ଜବତ କରାଯାଇଛି। ଏଥିରେ କେବଳ ୧୫୦ଟି ୨ ହଜାର ଟଙ୍କିଆ ନୋଟ୍‌ ରହିଛି। ଜାଲ କାରବାରରେ ସଂପୃକ୍ତ ଥିବା ଝାରଖଣ୍ଡ ସାହେବଗଞ୍ଜ ଉଧୁଆ ଅଞ୍ଚଳର ଜଣେ ଯୁବକକୁ ଗୁଇନ୍ଦା ନିର୍ଦେଶାଳୟ ପକ୍ଷରୁ ଗିରଫ କରାଯାଇଛି।

ମିଳିଥିବା ସୂଚନା ମୁତାବାକ, ଆଜି ଗୁଇନ୍ଦା ଅଧିକାରୀଙ୍କୁ ଖବର ମିଳିଥିଲା କି, ପଶ୍ଚିମବଙ୍ଗର ମାଲ୍‌ଦାର କାଲିଛକରୁ ଜଣେ ଯୁବକ ୩ ଲକ୍ଷର ଜାଲ୍‌ ଟଙ୍କା ନେଇ ବେଙ୍ଗାଲୁରୁ ଯାଉଛି। ଯୁବକ ଜଣକ କାମାକ୍ଷା-ଯଶୋବନ୍ତପୁର ଏକ୍ସପ୍ରେସରେ ବେଙ୍ଗାଲୁରୁ ଯାଉଥିବା ଜଣାପଡ଼ିବା ପରେ ଗୁଇନ୍ଦା ଅଧିକାରୀମାନେ ହଠାତ୍‌ ଖୋର୍ଧାରୋଡ୍‌ ଷ୍ଟେସନ୍‌ରେ ଟ୍ରେନ୍‌ ପହଞ୍ଚିବା ପରେ ଚଢ଼ଉ କରିଥିଲେ। ଚଢ଼ଉବେଳେ ଏକ ଏୟାରବ୍ୟାଗ୍‌ରେ ୩ ଲକ୍ଷ ଟଙ୍କା ଏକ କାଗଜରେ ଗୁଡ଼ା ହୋଇଥିଲା। ଗୁଇନ୍ଦା ଅଧିକାରୀମାନେ ସେସବୁକୁ ଜବତ କରିଥିଲେ। ଯୁବକଙ୍କୁ ପଚରାଉଚରା ବେଳେ ଜଣାପଡ଼ିଛି ଯେ, ସେ ବେଙ୍ଗାଲୁରୁରୁ ଏହି ଜାଲ ଟଙ୍କା ବଳରେ କିଛି ଗହଣା, ପୋଷାକପତ୍ର କିଣିଥାନ୍ତା। ଏହା ଛଡ଼ା ଏହି ଜାଲ୍‌ ନୋଟ୍‌କୁ ସେ ଛୋଟଛୋଟ ଦୋକନରେ ବଦଳାଇଥାନ୍ତା ବୋଲି କହିଛି।

ଗୁଇନ୍ଦା ବିଭାଗର ଜଣେ ଅଧିକାରୀଙ୍କ କହିବା ମୁତାବକ, ସର୍ବଦା ବାଂଲାଦେଶରୁ ଜାଲ୍‌ ନୋଟ୍‌୍‌ ପଶ୍ଚିମବଙ୍ଗର ମାଲ୍‌ଦାରେ ପହଞ୍ଚିଥାଏ। ଏହା ପରେ ଏହା ସାରା ଦେଶକୁ ଚାଲାଣ ହୋଇଥାଏ। ତେବେ ଯୁବକ ଜଣକ ଏହି ଜାଲ ନୋଟ୍‌୍‌ କାହାଠାରୁ ଆଣିଥିଲା ସେ ନେଇ ତଦନ୍ତ ଚାଲୁଛି ବୋଲି ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର