ରାଉରକେଲା: ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ୍ ଜାଲ ଆକାଉଣ୍ଟ୍ ଓ ଜିଏସ୍ଟି ଠକଙ୍କ ପେଣ୍ଠସ୍ଥଳୀ ପାଲଟିଛି। ଏହି ବ୍ୟାଙ୍କ୍ରେ ଏକାଧିକ ଜାଲ୍ ଆକାଉଣ୍ଟ ଖୋଲି କୋଟି କୋଟି ଟଙ୍କାର ଜିଏସ୍ଟି ଅର୍ଥ ହଡ଼ପ କରିନେଇଛନ୍ତି ଠକ ଦଳ। କେବଳ ଠିକା ଶ୍ରମିକ ଜାମିନିକାନ୍ତ ନାୟକ, ବିଶ୍ବଜିତ ତାଣ୍ଡିଆ ନୁହନ୍ତି; ବରଂ ବହୁସଂଖ୍ୟକ ନିରୀହ ଶ୍ରମିକ, ଛାତ୍ରଛାତ୍ରୀ, ରିକ୍ସା ଚାଳକ, ପରିବା ଦୋକାନି, ଫଳ ଦୋକାନିଙ୍କ ଜାଲ ପ୍ରମାଣପତ୍ରରେ ଆକାଉଣ୍ଟ୍ ଖୋଲାଯାଇଛି। ଏବେ ସହରର ଜଣେ କଲେଜ ଛାତ୍ର ଓ ଜଣେ ଆର୍ଏସ୍ପି ଠିକା ଶ୍ରମିକଙ୍କ ନାଁରେ ଅର୍ବାନ ବ୍ୟାଙ୍କ୍ରେ ଆକାଉଣ୍ଟ୍ ଖୋଲି ନକଲି କମ୍ପାନି ଖୋଲି ପ୍ରାୟ ୪୧ କୋଟି ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ଯାହାକି ପୁଣିଥରେ ବ୍ୟାଙ୍କ୍ କର୍ତୃପକ୍ଷଙ୍କ ନୈତିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବାସହ ଠକ ଦଳଙ୍କ ସହସଂପୃକ୍ତି ସନ୍ଦେହକୁ ଦୃଢ଼ୀଭୂତ କରୁଛି।
ବାସନ୍ତୀ କଲୋନିର ଏକ ବସ୍ତି ଅଞ୍ଚଳରେ ରୁହନ୍ତି କଲେଜ ଛାତ୍ର ସୌମ୍ୟଜିତ ସ୍ବାଇଁ। ତେବେ ସୌମ୍ୟଜିତଙ୍କ ନାଁରେ ଅର୍ବାନ ବ୍ୟାଙ୍କ୍ରେ ଏକ ଆକାଉଣ୍ଟ୍(ନମ୍ବର- ୦୦୪୦୧୦୦୦୨୭୫୫) ଖୋଲି ‘ଗଣପତି ଟ୍ରେଡର୍ସ୍’ ନାଁରେ ଏକ କମ୍ପାନି ପ୍ରତିଷ୍ଠା କରି ୨୦୧୭-୧୯ ଭିତରେ ୧୨ କୋଟି ୫୫ କୋଟି ଟଙ୍କାର ଜିଏସ୍ଟି ଅର୍ଥ ହଡ଼ପ କରିନେଇଛନ୍ତି। ସେହିଭଳି ଉକ୍ତ ବସ୍ତିରେ ରହନ୍ତି ଆର୍ଏସ୍ପି ଠିକା ଶ୍ରମିକ ସାରଦା ପ୍ରସନ୍ନ ସ୍ବାଇଁ। ସମାନ ପ୍ରକ୍ରିୟା ଅବଲମ୍ବନ କରି, ଏହି ବ୍ୟାଙ୍କ୍ରେ ତାଙ୍କ ନାଁରେ ଏକ ଆକାଉଣ୍ଟ୍(୦୦୪୦୧୦୦୦୨୭୫୪) ଖୋଲାଯାଇଛି। ଏହାସହ ‘ବାସୁଦେବ ମିନେରାଲ୍ସ’ ନାଁରେ ଏକ ଜାଲ୍ କମ୍ପାନି ତିଆରି ଲି ଗତ ୨ ବର୍ଷ ଭିତରେ ପ୍ରାୟ ୩୦ କୋଟି ଟଙ୍କାର ଜିଏସ୍ଟି ହଡ଼ପ କରାଯାଇଛି। ପ୍ରକୃତରେ ସୌମ୍ୟଜିତ ଓ ସାରଦା ଆକାଉଣ୍ଟ୍ ଖୋଲିବା କିମ୍ବା ଅନ୍ୟାନ୍ୟ ବିଷୟରେ ଆଦୌ ଅବଗତ ନ ଥିଲେ। ଜିଏସ୍ଟି ବିଭାଗର ଛାନ୍ଭିନ ପରେ ଏମାନଙ୍କ ନାଁରେ ଅର୍ଥ ହେରଫେର କରାଯାଇଥିବା ଧରାପଡ଼ିବାପରେ ଉଭୟଙ୍କୁ ସମନ ଜାରି କରାଯାଇଥିଲା।
ନିର୍ଦ୍ଦେଶାନୁସାରେ, ଉଭୟେ ଜିଏସ୍ଟି କର୍ତୃପକ୍ଷଙ୍କ ସମ୍ମୁଖରେ ଉପସ୍ଥିତ ରହି ନିଜର ପକ୍ଷ ରଖିନଥିଲେ। ଜୀବନରେ କେବେହେଲେ ଅର୍ବାନ ବ୍ୟାଙ୍କ୍ ଆସିନଥିବା କିମ୍ବା ଆକାଉଣ୍ଟ୍ ଖୋଲି ଅର୍ଥ କାରବାର କରିନଥିବା କହିଥିଲେ। ପରବର୍ତ୍ତୀ ସମୟରେ ଉଭୟଙ୍କର ଦସ୍ତଖତ ଯାଞ୍ଚ କରାଯାଇଥିଲା, ତେବେ ଆକାଉଣ୍ଟ୍ ଖୋଲିବାବେଳେ ଠକର ଦସ୍ତଖତ ଏବଂ ଉଭୟଙ୍କର ଦସ୍ତଖତ ମେଳ ଖାଇନଥିଲା। ଏମିତିକି କୋର୍ଟ ଆଫିଡେଭିଟ୍ ବେଳେ ଠକ ଦେଇଥିବା ଦସ୍ତଖତ, ମୋବାଇଲ ନମ୍ବର ଆଦି କୌଣସି ମେଳ ଖାଇନଥିଲା। ଏହି ମାମଲା ଏବେ ମଧ୍ୟ ବିଚାରାଧୀନ ରହିଛି। ଏ ପର୍ଯ୍ୟନ୍ତ ପ୍ରକୃତ ଠକଙ୍କୁ ଠାବ କରାଯାଇନଥିବାରୁ ସୌମ୍ୟଜିତ ଓ ସାରଦାଙ୍କୁ ନିର୍ଦ୍ଦୋଷ ବି ଅଭିହିତ କରାଯାଇନି। ଏଣୁ ଉଭୟେ ଅନିଶ୍ଚିତତା ଭିତରେ ଦିନ କାଟୁଛନ୍ତି। ଅବଶ୍ୟ ଏହି ଦୁଇ ଆକାଉଣ୍ଟ୍କୁ ଫ୍ରିଜ୍ କରାଯାଇଛି। ତେବେ ଆକାଉଣ୍ଟ୍ ଫ୍ରିଜ୍ କରିବା କେବଳ ଔପଚାରିକତା ମାତ୍ର, କାରଣ ଉକ୍ତ ଆକାଉଣ୍ଟ୍ରେ ମହଜୁଦ କୋଟିକୋଟି ଟଙ୍କାକୁ ଠକ ଦଳ ଉଠାଇନେଇସାରିଛନ୍ତି। ଏହି ଦୁଇ ଆକାଉଣ୍ଟ୍ରେ ବର୍ତ୍ତମାନ ୨/୩ ହଜାର ଟଙ୍କା ଲେଖାଏଁ ରହିଥିବା ଜଣାପଡ଼ିଛି।