୬୮ଲକ୍ଷ ଟଙ୍କା ଠକେଇ: ବିନୋଦିନୀ ଚିଟ୍‌ଫଣ୍ଡ ସଂସ୍ଥା ଏମ୍‌ଡି ଗିରଫ

ବ୍ରହ୍ମପୁର: ଲୋକଙ୍କ ଠାରୁ ଟଙ୍କା ଠକେଇ ଅଭିଯୋଗରେ ବୈଦ୍ୟନାଥପୁର ଥାନା ପୁଲିସ ବିନୋଦିନୀ ଚିଟ୍‌ଫଣ୍ଡ ସଂସ୍ଥାର ଏମ୍‌ଡି(ପରିଚାଳନା ନିର୍ଦ୍ଦେଶକ) ଧୀରେନ କୁମାର ସ୍ବାଇଁ(୪୭)ଙ୍କୁ ଗିରଫ କରିଛି। ଲୋକଙ୍କୁ ଅଧିକ ହାରରେ ସୂଧ ଦେବା ପ୍ରତିଶ୍ରୁତି ଦେଇ ଏହି ସଂସ୍ଥା ପ୍ରାୟ ୬୮ଲକ୍ଷ ୮୩ହଜାର ୧୮୦ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଥିଲା।

ଓଡ଼ିଶାର ଗଞ୍ଜାମ ଜିଲ୍ଲା ଓ ସୁରତରେ ଗତ ୨୦୧୦ରେ ବିନୋଦିନୀ ପ୍ରୋଜେକ୍ଟ ଲିମିଟେଡ୍‌ ନାମ‌ରେ ଏକ ସଂସ୍ଥା ଖୋଲିଥିଲା। ସଂସ୍ଥାରେ ଟଙ୍କା ଜମା କଲେ ଅଧିକ ହାରରେ ସୂଧ ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହି ସଂସ୍ଥାର ତା’ର କାର୍ଯ୍ୟାଳୟ ଖୋଲିଥିଲା। ଜମାକାରୀ ତାଙ୍କର ଟଙ୍କା ଫେରି ନପାଇବାରୁ ଅଯୋଧ୍ୟାନଗରରେ ଥିବା ସଂସ୍ଥାର କାର୍ଯ୍ୟାଳୟ ଘେରାଉ କରିଥିଲେ। କିନ୍ତୁ ଜମାକାରୀ ତାଙ୍କର ଟଙ୍କା ଫେରି ପାରି ନଥିଲେ। ଫଳରେ ଜମାକାରୀ ଗତ ୨୦୧୮ ମାର୍ଚ୍ଚ ମାସରେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ।

ପୁଲିସ କେସ୍ ନମ୍ବର ୬୩/୧୮ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ଗଞ୍ଜାମ ଜିଲ୍ଲାର ପ୍ରାୟ ୫୨୩ଜଣ ଜମାକାରୀଙ୍କ ଠାରୁ ଏହି ସଂସ୍ଥା ଟଙ୍କା ଠକେଇ କରିଥିବା ଜଣାପଡ଼ିଥିଲା। ସୁରତରେ ମଧ୍ୟ ଏହି ସଂସ୍ଥାରେ ନାଁରେ ମାମଲା ରୁୁଜୁ ହୋଇଥିଲା। ବୈଦ୍ୟନାଥପୁର ଥାନା ପୁଲିସ ଶେଷରେ ସଂସ୍ଥାର ଏମ୍‌ଡି ତଥା ବଡ଼ଗଡ଼ ଥାନା ରୁଗୁମୁର ଧୀରେନଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର