ଗାଡି ପଞ୍ଜିକରଣ ଓ ଲାଇସେନ୍ସ ନାଁରେ ଲୁଟ, ଆରଟିଓ ଅଫିସରଙ୍କ ସହ ୧୪ ଦଲାଲ ଗିରଫ

ରାଉରକେଲା: ଗାଡି ପଞ୍ଜିକରଣ, ଲାଇସେନ୍ସ ଓ ଅନ୍ୟାନ୍ୟ କାଗଜପତ୍ର କରାଇ ଦେବା ନାଁରେ ଗ୍ରାହକଙ୍କୁ ଲୁଟୁଥିବା ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ) ଅଫିସର ଓ ୧୪ ଦଲାଲକୁ ପୁଲିସ ଗିରଫ କରିଛି।

ରାଉରକେଲା ଏସ୍‌ପି ଡ. ସାର୍ଥକ ଷଡଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ଅତିରିକ୍ତ ଏସ୍‌ପି ଏନ.ସି. ସ୍ବାଇଁ, ଡିଏସ୍‌ପି ଜ୍ୟୋର୍ତିମୟ ଭୁକ୍ତା, ଉଦିତନଗର ଥାନା ଅଧିକାରୀ ସୁଦର୍ଶନ ପଣ୍ଡାଙ୍କ ନେତୃତ୍ବରେ ଗଠିତ ଟିମ୍‌ ଆର୍‌ଟିଓ, ଦଲାଲ ଅଫିସରେ ଚଢ଼ଉ କରିଥିଲେ। ଅନ୍ୟମା‌ନେ ଖସିଯାଇଥିବାବେଳେ ପୁଲିସ ୧୪ଜଣ ଦଲାଲ ଓ ଅଫିସରଙ୍କୁ ଅଫିସ ପରିସରରୁ କାବୁ କରିଥିଲା। ଗିରଫ ଦଲାଲମାନେ ହେଲେ ଏ. ସରକାର, ପ୍ରଦୀପ କୁମାର ବାରିକ୍‌, ରାମ ମୋହନ ନାୟକ ଓରଫ ଠେକୁ, ଦେବାଶିଶ ନନ୍ଦ, ଲକ୍ଷ୍ମୀକାନ୍ତ ସାହୁ, ବିଶ୍ବଜିତ୍‌ ଦାସ, ତ୍ରିଲୋଚନ ପାଢ଼ୀ, ଖଗେଶ୍ବର ସାହୁ, ସୁଦୀପ୍ତ ସାହୁ, ରାଘବ ଦୀପ, ସନ୍ତୋଷ ଗୁପ୍ତା, ଗୋବିନ୍ଦ ବିଶ୍ବାଳ, ପ୍ରଶାନ୍ତ ମହାନ୍ତି, ସେକ୍‌ ଅନୱାର। ସମସ୍ତଙ୍କୁ ସରକାରୀ ହସ୍ପିଟାଲରେ ଡାକ୍ତରୀ ଯାଞ୍ଚ ପରେ ଜେଲକୁ ପଠାଇ ଦିଆାଇଛି। ପୁଲିସ ସେମାନଙ୍କ ଅଫିସରୁ ପରିବହନ ସମ୍ପର୍କିତ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, କିଛି ରବର ଷ୍ଟାମ୍ପ, ରେଜିଷ୍ଟ୍ରର ଆଦି ଅନ୍ୟାନ୍ୟ ଜନିଷ ଜବତ କରିଛି।

ସେହିପରି ଆର୍‌ଟିଓ ଅଫିସ ପାର୍ଶ୍ବ ତପସ୍ବନୀ ମାର୍କେଟର ସେନାପତି ଆଣ୍ଡ ସେନାପତି କମ୍ୟୁନିକେସନ ଅଫିସକୁ ପୁଲିସ ସିଲ୍‌ କରି ଦେଇଛି। ଚଢ଼ଉ ପରେ ଗିରଫ ଭୟରେ ଆର୍‌ଟିଓ ଅଫିସ ପରିସରରେ ବୁଲୁଥିବା କିଛି ଦଲାଲ ଫେରାର ହୋଇଯାଇଥିଲେ। ଆର୍‌ଟିଓ ଅଫିସ ପାର୍ଶ୍ବରେ ଆଉ କିଛି ଦଲାଲ ଅଫିସ ବନ୍ଦ କରି ମଧ୍ୟ ଫେରାର ହୋଇଯାଇଥିଲେ। ଫଳରେ ଆଜି ଦିନ ତମାମ ଆର୍‌ଟିଓ ଅଫିସ ସମ୍ପୂର୍ଣ୍ଣ ଖାଁ ଖାଁ ରହିଥିଲା। ଅଫିସରେ ପ୍ରାୟ ସମସ୍ତ କାର୍ଯ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର